ଶୀତ ଛୁଟି ଓ ନୂଆବର୍ଷ ୨୦୨୭ ପୂର୍ବରୁ ଓଡ଼ିଶାକୁ ଆସୁଥିବା ବିମାନ ଯାତ୍ରୀଙ୍କ ପାଇଁ ବିମାନ ଭଡ଼ା ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ଏହି ପ୍ରସଙ୍ଗରେ ରାଜ୍ୟସଭା ସାଂସଦ ଡ.ସସ୍ମିତ ପାତ୍ର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜରାପୁ ରାମମୋହନ ନାଇଡୁଙ୍କୁ ଚିଠି ଲେଖିଛନ୍ତି । ଓଡ଼ିଶାକୁ ଆସୁଥିବା ବିମାନ ଭଡ଼ା ଉପରେ ସ୍ୱତନ୍ତ୍ର ନଜର ରଖି ପଦକ୍ଷେପ ନେବାକୁ ସସ୍ମିତ ଅନୁରୋଧ କରିଛନ୍ତି ।ଭୁବନେଶ୍ୱର ଓ ଝାରସୁଗୁଡ଼ା ସହ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଚେନ୍ନାଇ, କୋଲକାତା ଓ ପୁଣେ ଭଳି ପ୍ରମୁଖ ସହରକୁ ସଂଯୋଗ କରୁଥିବା ବିମାନର ଭଡ଼ା ବାରମ୍ବାର ବୃଦ୍ଧି ପାଉଛି । ଏହାଦ୍ୱାରା ରାଜ୍ୟ ବାହାରେ ରହୁଥିବା ଓଡ଼ିଆ ଛାତ୍ରଛାତ୍ରୀ, ଚାକିରିଆ ଓ ସେମାନଙ୍କ ପରିବାର ଆର୍ଥିକ ଚାପର ସମ୍ମୁଖୀନ ହେଉଛନ୍ତି । ପର୍ବପର୍ବାଣୀ ଓ ଛୁଟି ସମୟରେ ଘରକୁ ଫେରିବା ମଧ୍ୟ କଷ୍ଟକର ହୋଇପଡ଼ୁଛି ବୋଲି ଚିଠିରେ ଦର୍ଶାଇଛନ୍ତି ସସ୍ମିତ ପାତ୍ର। ବିମାନ ଭଡ଼ା ବୃଦ୍ଧି ସମ୍ପର୍କରେ ଏକାଧିକ ତଥ୍ୟ ମଧ୍ୟ ଉପସ୍ଥାପନ କରିଛନ୍ତି ସାଂସଦ । ଦିଲ୍ଲୀ-ଭୁବନେଶ୍ୱର ଯିବାଆସିବା ବିମାନ ଟିକେଟ୍ ର ହାରାହାରି ମୂଲ୍ୟ ଫେବ୍ରୁଆରୀରେ ୧୪ ହଜାର ୩୨ ଟଙ୍କା ଥିବାବେଳେ ଅକ୍ଟୋବରରେ ଏହା ୧୯ ହଜାର ୨୯୪ ଟଙ୍କାକୁ ବୃଦ୍ଧି ପାଇଥିଲା। ଅର୍ଥାତ୍ ପ୍ରାୟ ୩୭.୫ ପ୍ରତିଶତ ଭଡ଼ା ବୃଦ୍ଧି ହୋଇଥିଲା । ସେହିପରି ୨୦୨୬ ଦୀପାବଳି ପୂର୍ବରୁ ବେଙ୍ଗାଲୁରୁ-ଝାରସୁଗୁଡ଼ା ସିଧାସଳଖ ବିମାନର ଭଡ଼ା ୪ ହଜାର ୨୦୦ ଟଙ୍କାରୁ ୧୬ ହଜାର ୨୦୦ ଟଙ୍କାକୁ ବୃଦ୍ଧି ପାଇଥିଲା। ଏହି ବୃଦ୍ଧି ପ୍ରାୟ ୨୮୬ ପ୍ରତିଶତ। ଅତ୍ୟଧିକ ବିମାନ ଭଡ଼ା ଯୋଗୁଁ ଅନେକ ଯାତ୍ରୀ ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମଧ୍ୟ ଭୁବନେଶ୍ୱର ଫେରିପାରିନଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।ସସ୍ମିତ ପାତ୍ର ଆହୁରି ମଧ୍ୟ ଲେଖିଛନ୍ତି,”ଜୁଲାଇରେ ଟ୍ରିପ୍ ଡଟ୍ କମରେ ଭୁବନେଶ୍ୱର-ଦିଲ୍ଲୀ ଭଡ଼ା ୧୭,୬୨୨ ଟଙ୍କା ଥିବାବେଳେ ଅକ୍ଟୋବରରେ ଏହା ୨୪,୨୩୬ ଟଙ୍କାରେ ପହଞ୍ଚିଥିଲା । ବେଙ୍ଗାଲୁରୁ-ଝାରସୁଗୁଡ଼ା ନନ୍ଷ୍ଟପ୍ ବିମାନ ଭଡ଼ା ୪,୨୦୦ ଟଙ୍କାରୁ ୧୬,୨୦୦ ଟଙ୍କାକୁ ବଢ଼ିଯାଇଛି । ଏହା ସହିତ ଭୁବନେଶ୍ୱରରୁ ଘରୋଇ ବିମାନ ଗନ୍ତବ୍ୟସ୍ଥଳ ସଂଖ୍ୟା ୨୦୨୫ରେ ୨୯ ଥିବାବେଳେ ୨୦୨୬ରେ ଏହା ୧୯କୁ ହ୍ରାସ ପାଇଥିବା ସାଂସଦ ଦର୍ଶାଇଛନ୍ତି । ଏହି ସମୟରେ ବିମାନବନ୍ଦରରେ ୫୧.୧ ଲକ୍ଷ ଯାତ୍ରୀ ଯାତାୟାତ କରିଥିଲେ । ଏହା ସତ୍ତ୍ୱେ ଗନ୍ତବ୍ୟସ୍ଥଳ ସଂଖ୍ୟା କମିବା ଚିନ୍ତାଜନକ ।”
