ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ମହାସମାରୋହରେ ‘ସମ୍ବିଧାନ ଦିବସ’ ପାଳିତ : ​ସାଂସଦଙ୍କ ମୁକ୍ତ କୁଇଜ୍‌ ପାଲଟିଲା ମୁଖ୍ୟ ଆକର୍ଷଣ

​ବ୍ରହ୍ମପୁର, ୨୬/୧୧: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ରାଜନୀତି ବିଜ୍ଞାନ ଏବଂ ଲୋକ ପ୍ରଶାସନ ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ବିଶ୍ୱବିଦ୍ୟାଳୟ ପରିସରସ୍ଥିତ ନୂତନ ସମ୍ମିଳନୀ କକ୍ଷଠାରେ ‘ସମ୍ବିଧାନ ଦିବସ’ ମହାସମାରୋହରେ ପାଳିତ ହୋଇଯାଇଛି। ଚଳିତ ବର୍ଷ “ଏକ ଶକ୍ତିଶାଳୀ, ସମାବେଶୀ ଏବଂ ଗଣତାନ୍ତ୍ରିକ ଭାରତ ପାଇଁ ସମ୍ବିଧାନ” ଶୀର୍ଷକ ବିଷୟବସ୍ତୁ ଉପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା l
​କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମ୍ବିଧାନ ପ୍ରଣେତା ଭାରତରତ୍ନ ଡଃ ବି.ଆର୍. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ସମବେତ ଭାବରେ ସମ୍ବିଧାନର ମୁଖବନ୍ଧ ପାଠ କରାଯାଇଥିଲା l ଉତ୍ସବରେ ବ୍ରହ୍ମପୁରର ଲୋକସଭା ସାଂସଦ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତୀୟ ଗଣତନ୍ତ୍ରର ସୁରକ୍ଷା ତଥା ରାଷ୍ଟ୍ର ନିର୍ମାଣରେ ସମ୍ବିଧାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା ସହ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ସମ୍ବିଧାନ ସହ ଭାରତୀୟ ସମ୍ବିଧାନର ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିଥିଲେ l
​ଏହି ଉତ୍ସବରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅସୀମା ସାହୁ ମୁଖ୍ୟ ପୃଷ୍ଠପୋଷକ ଏବଂ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ପୃଷ୍ଠପୋଷକ ଭାବେ ଯୋଗଦେଇ ସମ୍ବିଧାନର ମୌଳିକ ଆଦର୍ଶ ଓ ନାଗରିକ କର୍ତ୍ତବ୍ୟ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ l ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ପୂର୍ବତନ ପ୍ରଫେସର ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ ଯୋଗଦେଇ ଭାରତୀୟ ସମ୍ବିଧାନର ଐତିହାସିକ ପୃଷ୍ଠଭୂମି, ସାମାଜିକ ନ୍ୟାୟ ଏବଂ ସାମ୍ବିଧାନିକ ମୂଲ୍ୟବୋଧ ଉପରେ ଏକ ସାରଗର୍ଭକ ବକ୍ତବ୍ୟ ରଖିଥିଲେ l
​
ଏହି ଅବସରରେ ଆୟୋଜିତ ବକ୍ତୃତା, ପ୍ରବନ୍ଧ ଏବଂ ମୁକ୍ତ କୁଇଜ୍‌ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା l ତେବେ କାର୍ଯ୍ୟକ୍ରମର ସବୁଠାରୁ ଆକର୍ଷଣୀୟ ପର୍ବ ଥିଲା ମୁକ୍ତ କୁଇଜ୍‌ ପ୍ରତିଯୋଗିତା, ଯେଉଁଥିରେ ସାଂସଦ ଡଃ ପ୍ରଦୀପ ପାଣିଗ୍ରାହୀ ନିଜେ ମଞ୍ଚରୁ ଛାତ୍ରଛାତ୍ରୀଙ୍କୁ ସମ୍ବିଧାନ ସମ୍ପର୍କିତ ପ୍ରଶ୍ନ ପଚାରିଥିଲେ ଏବଂ ସଠିକ୍ ଉତ୍ତର ଦେଇଥିବା ବିଦ୍ୟାର୍ଥୀଙ୍କୁ ପୁରସ୍କୃତ କରିଥିଲେ l ଛାତ୍ରଛାତ୍ରୀଙ୍କ ଅଭୂତପୂର୍ବ ଉତ୍ସାହ ଓ ଜ୍ଞାନ ଦେଖି ସାଂସଦ ବେଶ୍ ଖୁସି ବ୍ୟକ୍ତ କରିବା ସହ ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟରେ ଆଉ ଏକ ସ୍ୱତନ୍ତ୍ର କୁଇଜ୍‌ କାର୍ଯ୍ୟକ୍ରମ ଆୟୋଜନ କରିବାକୁ କୁଳପତିଙ୍କୁ ଅନୁରୋଧ କରିଥିଲେ l
​ସ୍ନାତକୋତ୍ତର ରାଜନୀତି ବିଜ୍ଞାନ ଏବଂ ଲୋକ ପ୍ରଶାସନ ବିଭାଗର ସଂଯୋଜକ ସଞ୍ଜୟ ମେହେର କାର୍ଯ୍ୟକ୍ରମର ଆବାହକ ଭାବେ ସମସ୍ତ ଅତିଥିଙ୍କୁ ସ୍ୱାଗତ କରିବା ସହ ସଭା ପରିଚାଳନା କରିଥିଲେ l ସଭା ପ୍ରାରମ୍ଭରେ ଡଃ ରାଜେଶ ସେଠ ସମ୍ବିଧାନ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିବା ବେଳେ ପରିଶେଷରେ ଡଃ ଶାରଦା ପ୍ରସନ୍ନ ରାଉତ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ବହୁ ଅଧ୍ୟାପକ, ଅଧ୍ୟାପିକା, ଗବେଷକ ଏବଂ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l

ଅଧିକ ପଢନ୍ତୁ