ଅବଢ଼ା ପ୍ରସ୍ତୁତିକୁ ନେଇ ବିବାଦ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ପୁରୁଣା ସହରରେ ଅବସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ବ୍ୟାପକ ଅବ୍ୟବସ୍ଥା ଦେଖା ଦେଇଛି। ଅବଢ଼ାକୁ ନେଇ ରହିଥିବା ବିବାଦ ଏବଂ ଦେବୋତ୍ତର କର୍ମଚାରୀଙ୍କ ମନମୁଖି କାର୍ଯ୍ୟକୁ ନେଇ ସେବାସୀ ଏବଂ ଭକ୍ତ ମହଲରେ ଅସନ୍ତୋଷ ଚରମ ସ୍ଥିତିରେ ପହଞ୍ଚିଛି । ୫୦ରୁ ଉର୍ଦ୍ଧ୍ଵ ଭକ୍ତ ଏବଂ ସେବାସୀ ନୟାଗଡ଼ ଜଗନ୍ନାଥ ମନ୍ଦିରରେ ତାଲା ପକାଇ ଧାରଣା ଦେଇଛନ୍ତି । ନୟାଗଡ଼ ଜଗନ୍ନାଥ ମନ୍ଦିରରେ ଦୀର୍ଘଦିନ ଧରି ଅବ୍ୟବସ୍ଥା ଲାଗି ରହିଛି । କରୋନା ମହାମାରୀ ସମୟରେ ଅବଢ଼ା ନିଲାମ ହୋଇଥିବା ବେଳେ ବର୍ଷକର ନିଲାମ ଦୀର୍ଘଦିନ
ଧରି ବଳବତ୍ତର ରହିଛି । ନିଲାମ ଅବଧି ଶେଷ ହୋଇଥିବା ବେଳେ କାହିଁକି ସମ୍ପୃକୁ ବ୍ୟକ୍ତିଙ୍କୁ ଅବଢ଼ା ବିକ୍ରି କରିବା ପାଇଁ ସୁଯୋଗ ଦିଆଯାଇଛି ବୋଲି ପ୍ରଶ୍ନ ଉଠିଛି । ଉକ୍ତ ବ୍ୟକ୍ତି ଅବଢ଼ା ପାଇଁ ବିମଳା ମନ୍ଦିରକୁ ଦଖଲ କରି ରଖୁଥିବା ବେଳେ ଦେବୋତ୍ତର ବିଭାଗ ଏହାକୁ ସହଯୋଗ କରି ଆସୁଛି । ଅବଢ଼ା ବଦଳରେ ଜଗନ୍ନାଥ ମନ୍ଦିରକୁ ହୋଟେଲରେ ପରିଣତ କରାଇଥିବା ଅଭିଯୋଗ ହୋଇଛି । ଏହା ସହିତ ଜଗନ୍ନାଥ ମନ୍ଦିରର ନୂଆ ନିଯୁକ୍ତି ପାଇଥିବା ବଡ଼ପଣ୍ଡାଙ୍କୁ ବେଶ ଏବଂ ପୂଜା ଆସୁନଥିବା ବେଳେ କିଭଳି ନିଯୁକ୍ତି ଦିଆଯାଇଛି ବୋଲି ଭକ୍ତମାନେ ପ୍ରଶ୍ନ ଉଠାଇଛନ୍ତି । ମନ୍ଦିରରେ ପତାକା ଝୁଲିବାରେ ଭୁଲ କରାଯାଇଥିବା ବେଳେ ନୀତିକାନ୍ତିରେ ମଧ୍ୟ ବିଭ୍ରାଟ ସୃଷ୍ଟି ହେଉଛି । ଏହା ସହିତ ଗତବର୍ଷରୁ ଗଚ୍ଛିତ ଥିବା ରଥ କାଠକୁ କିଛି କର୍ମଚାରୀଙ୍କ ସହଯୋଗରେ ଚୋରୀ କରାଯାଇଥିବା ବେଳେ ଦେବୋତ୍ତର ବିଭାଗ ଆଖୁବୁଜି ଦେଇଥିବା ଅଭିଯୋଗ ହୋଇଛି । ମନ୍ଦିର ପରିଚାଳନା ଦାୟିତ୍ବରେ ରହିଥିବା ସୁପରଭାଇଜର ନକୁଳ ସାହୁଙ୍କ ପ୍ରତି ସେବାସୀ ଏବଂ ଭକ୍ତମାନେ ସିଧାସଳଖ ଆଙ୍ଗୁଠି ଉଠାଇଥିବା ଦେଖାଯାଇଛି ।
ସଂନ୍ଧ୍ୟାରୁ ମନ୍ଦିର ମୁଖ୍ୟ ଫାଟକରେ ତାଲା
ପକାଇ ସେବାସୀ ଓ ଭକ୍ତମାନେ ଧାରଣା ଦେଇଛନ୍ତି । ଦେବୋତ୍ତର ବିଭାଗ ପକ୍ଷରୁ ତରବରିଆ ଭାବେ ଶରଣକୁଳ ଲଡୁବାବା ମନ୍ଦିର ସୁପରଭାଇଜରଙ୍କୁ ଅତିରିକ୍ତ ଦାୟିତ୍ଵ ପ୍ରଦାନ କରାଯାଇ ଧାରଣା ସ୍ଥଳକୁ ପଠା ଯାଇଥିବା ବେଳେ ଭକ୍ତମାନେ ଜିଦରେ ଅଟଳ ରହିଛନ୍ତି । ଅବଢ଼ା ପ୍ରସ୍ତୁତକାରୀକୁ ସେଠାରୁ ଉଚ୍ଛେଦ କରାଯିବା ଏବଂ ସମସ୍ତ ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି । ଭକ୍ତ ଓ ସେବାସୀମାନେ ମନ୍ଦିର ବାହାରେ ନାମ ସଙ୍କୀର୍ତ୍ତନ କରିଥିବା ବେଳେ ମନ୍ଦିର ଭିତରେ ନୀତିକାନ୍ତି ଚାଲୁ ରହିଥିଲା । ତେବେ ଏପର୍ଯ୍ୟନ୍ତ ସୁଦ୍ଧା ସମସ୍ୟାର କୌଣସି ସମାଧାନ ହୋଇ ନଥିବା ଜଣାପଡିଛି।