ମେଡିକାଲ ପିଜି ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ । ରାଜ୍ୟ ସରକାର ତୁରନ୍ତ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କରିଛି ବିଜେଡି ।ବିଜେପିର ୨୪ ମାସର ଶାସନରେ ରାଜ୍ୟରେ ୨୩ଟି ପ୍ରଶ୍ନପତ୍ର ଲିକ୍ ଘଟଣା ସାମ୍ନାକୁ ଆସିଲାଣି, ଯାହା ସରକାରଙ୍କ ବିଫଳତାକୁ ସୂଚାଉଛି । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଧାୟକ ଡ଼ ଅରୁଣ କୁମାର ସାହୁ ଓ ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ଶ୍ରୀ ପ୍ରତାପ ଜେନା ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଡ଼ ଅରୁଣ କୁମାର ସାହୁ କହିଥିଲେ ଯେ, ରାଜ୍ୟ ତଥା ଦେଶରେ ପ୍ରଶ୍ନପତ୍ର ଲିକ ଏକ ସାଧାରଣ ଘଟଣା ହୋଇଗଲାଣି । କ୍ରିକେଟରେ ଆୟୋଜିତ ହେଉଥିବା ଆଇପିଏଲ ଲୋକପ୍ରିୟତା ହାସଲ କରିଥିବା ବେଳେ ପ୍ରଶ୍ନପତ୍ର ଲିକ୍ ଘଟଣା ନିୟମିତ ବ୍ୟବଧାନରେ ଦେଖିବାକୁ ମିଳୁଥିବାରୁ, ଏହାକୁ ଇଣ୍ଡିଆନ ପେପର ଲିକ୍ ବା ଆଇପିଏଲ କୁହାଯାଉଛି ।ଅରୁଣ ଆହୁରି ମଧ୍ୟ କହିଛନ୍ତି, “ରାଜ୍ୟରେ ପ୍ରଶ୍ନପତ୍ର ଲିକ ଘଟଣା ନିୟମିତ ବ୍ୟବଧାନରେ ଘଟୁଥିବା ବେଳେ, ଓଡିଶା ୟୁନିଭରସିଟି ଅଫ ହେଲଥ ସାଇନ୍ସ ବା ଓୟୁଏଚଏସ ଦ୍ୱାରା ଜୁଲାଇ ୨୭ ତାରିଖରେ ଅନୁଷ୍ଠିତ ହୋଇଥିବା ମେଡିକାଲ ପିଜି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ର ଅଭିଯୋଗ ସାମ୍ନାକୁ ଆସିଛି । ଅଭିଯୋଗ ଅନୁସାରେ, ପରୀକ୍ଷା ଚାଲିଥିବା ସମୟରେ, ପ୍ରଶ୍ନପତ୍ର ହ୍ୱାଟ୍ସଆପ ଜରିଆରେ ବିଭିନ୍ନ ମୋବାଇଲରେ ଘୁରି ବୁଲିଥିଲା । ଏହି ପ୍ରଶ୍ନପତ୍ର ପ୍ରଘଟ ସହିତ ଏହାର ଉତ୍ତର ମଧ୍ୟ ମୋବାଇଲରେ ଘୁରି ବୁଲୁଥିଲା ।”ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, “ନିଟ ପ୍ରଶ୍ନପତ୍ର ଲିକ ଘଟଣା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି । ଏହି ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ, ରାଜ୍ୟରେ ମେଡିକାଲ ପିଜି ପ୍ରଶପତ୍ର ଲିକ ହେବା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି ।
