ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି, ସଂଧ୍ୟା ୬ରୁ ରାତି ୧୦ ଯାଏଁ ଦର୍ଶନ ବନ୍ଦ

ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ରାତି ୧୦ ଟା ଯାଏଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ସର୍ବ ସାଧାରଣ ଦର୍ଶନ ଆପାତତଃ ୪ ଘଣ୍ଟା ଦର୍ଶନ ବନ୍ଦ ରହିବ । ଆଶ୍ୱିନ କୃଷ୍ଣ ଚତୁର୍ଥୀ ତିଥିରେ ଅନୁଷ୍ଠିତ ହେବ ଏହି ଗୁପ୍ତ ନୀତି। ବନକଲାଗି ନୀତି ପାଇଁ ଦ୍ୱିତୀୟ ଭୋଗ ମଣ୍ଡପ ଶେଷ ପରେ ଦର୍ଶନ ବନ୍ଦ ରହିବ । ମହାପ୍ରଭୁଙ୍କର ଏହା ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ସାଧାରଣ ଦର୍ଶନକୁ ବନ୍ଦ କରାଯାଏ । ଦତ୍ତମହାପାତ୍ର ସେବକମାନେ ଠାକୁରଙ୍କ ଶ୍ରୀମୁଖ ସିଂହାର କରିବା ପାଇଁ ଗର୍ଭଗୃହକୁ ପ୍ରବେଶ କରିବେ । ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୂର, କଇଥ ଅଠା, କସ୍ତୁରୀ ଓ କଳା ଇତ୍ୟାଦି ବ୍ୟବହାର କରାଯିବ । ଏହାଦ୍ୱାରା ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗର ଶ୍ରୀବୃଦ୍ଧି ଘଟିଥାଏ । ଉକ୍ତ ଦିନର ଠାକୁରଙ୍କ ସେବାପୂଜାର ନୀତି ନିର୍ଘଣ୍ଟକୁ ନେଇ ବନକଲାଗିର ଅସଲ ସମୟ ଧାର୍ଯ୍ୟ ହେବ । ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ଦ୍ୱାରା ଶ୍ରୀଜିଉଙ୍କ ମୁଖ ମଣ୍ତଳ ଅଧିକ ସୁନ୍ଦର ଓ ଆକର୍ଷଣୀୟ ଦେଖାଯାଇଥାଏ। ଏହି ସମୟରେ ବଛା ବଛା ସେବାୟତଙ୍କୁ ଛାଡି ଅନ୍ୟ କୌଣସି ଲୋକ କିମ୍ବା ଦର୍ଶକ ମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବ ନାହିଁ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଅଧିକ ପଢନ୍ତୁ