SDC ପରିଚାଳନାରେ ଅବ୍ୟବସ୍ଥା, ଗାଡ଼ି-ଷ୍ଟାଫ୍‌-ପାଣ୍ଠି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ୧୧ ଦଫା ଦାବି

ଆଦିବାସୀ ଅଞ୍ଚଳର ବିକାଶ ପାଇଁ ଗଠିତ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ବା ଏସ୍‌ଡିସିର ପରିଚାଳନାକୁ ନେଇ ଏବେ ଉଠିଛି ପ୍ରଶ୍ନ । ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ଘୋଷଣା ପରେ ମଧ୍ୟ ପରିଷଦଗୁଡ଼ିକୁ ଆବଶ୍ୟକ ସୁବିଧା ଓ ସମ୍ବଳ ମିଳୁନଥିବା ଅଭିଯୋଗ ହୋଇଛି ।ଏହା ସହ ଗାଡ଼ି, କର୍ମଚାରୀ, ଆବାସ ଓ ପର୍ଯ୍ୟାପ୍ତ ପାଣ୍ଠି ଯୋଗାଇ ଦେବାକୁ ଦାବି କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ୧୧ ଦଫା ସମ୍ବଳିତ ସ୍ମାରକପତ୍ର ଦିଆଯାଇଛି ।ପରିଷଦଗୁଡ଼ିକର ଦୈନନ୍ଦିନ କାର୍ଯ୍ୟ ସୁଚାରୁ ଭାବେ ପରିଚାଳନା ପାଇଁ ପ୍ରତ୍ୟେକ SDCରେ ଜଣେ ଜିଲ୍ଲା ପ୍ରୋଗ୍ରାମ୍‌ କୋ-ଅର୍ଡିନେଟର, ଜଣେ ପର୍ସନାଲ୍‌ ଆସିଷ୍ଟାଣ୍ଟ, ଜଣେ ଅଫିସ୍‌ ଆସିଷ୍ଟାଣ୍ଟ ଓ ଜଣେ ଅଫିସ୍‌ ଆଟେଣ୍ଡାଣ୍ଟ ନିଯୁକ୍ତି କରିବାକୁ ଦାବି ରହିଛି । ଅଧ୍ୟକ୍ଷମାନଙ୍କୁ ମନ୍ତ୍ରୀ ପାହ୍ୟା ଅନୁଯାୟୀ ପ୍ରୋଟୋକଲ୍‌ ସୁବିଧା ପ୍ରଦାନ ଏବଂ ଜିଲ୍ଲାସ୍ତରୀୟ ବିକାଶ ସମୀକ୍ଷା ବୈଠକରେ ସେମାନଙ୍କ ଅଂଶଗ୍ରହଣ ସୁନିଶ୍ଚିତ କରିବାକୁ ମଧ୍ୟ ଦାବି କରାଯାଇଛି । ଆଦିବାସୀ ଉନ୍ନୟନ ପାଣ୍ଠିର ବରାଦ, ମୁକ୍ତି ଓ ବ୍ୟବହାରର ନିୟମିତ ସମୀକ୍ଷା ଓ ମନିଟରିଂ ପାଇଁ ବ୍ୟବସ୍ଥା, ଅଧ୍ୟକ୍ଷମାନଙ୍କ ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଏବଂ ଜିଲ୍ଲାସ୍ତରରେ ଜଣେ ବରିଷ୍ଠ ନୋଡାଲ୍‌ ଅଧିକାରୀ ନିଯୁକ୍ତି ପାଇଁ ମଧ୍ୟ ସ୍ମାରକପତ୍ରରେ ଦାବି ରହିଛି ।ସମସ୍ତ ବ୍ୟବସ୍ଥା ଲାଗୁ କରିବାକୁ ସମସ୍ତ ଜିଲ୍ଲାପାଳ ଓ ସମ୍ପୃକ୍ତ ବିଭାଗକୁ ଏକ ସମାନ ଓ ସମୟବଦ୍ଧ ସରକାରୀ ନିର୍ଦ୍ଦେଶନାମା ଜାରି କରିବାକୁ ଅନୁରୋଧ କରାଯାଇଛି ।ଏହି ସମସ୍ୟାର ସମାଧାନ ଦାବି କରି ଏସ୍‌ଡିସିର ଅଧ୍ୟକ୍ଷମାନେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି ।ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିଯୁକ୍ତି ପରେ ଯଦି ପରିଷଦଗୁଡ଼ିକୁ ଆବଶ୍ୟକ ମାନବ ସମ୍ବଳ, ଆର୍ଥିକ ସହାୟତା ଓ ଭିତ୍ତିଭୂମି ନମିଳେ, ତେବେ ଏହାର ଉଦ୍ଦେଶ୍ୟ କିପରି ପୂରଣ ହେବ-ଏହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଏବେ ଅଧ୍ୟକ୍ଷମାନଙ୍କ ୧୧ ଦଫା ଦାବି ଉପରେ ରାଜ୍ୟ ସରକାର କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ନଜର ରହିଛି।

ଅଧିକ ପଢନ୍ତୁ