କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡ଼ନ ଅଧିନିୟମ-୨୦୧୩ ସମ୍ବନ୍ଧରେ ତାଲିମ ଶିବିର

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଓଡ଼ିଶା ଜୀବିକା ମିଶନର ଜିଲ୍ଲା ମିଶନ ପରିଚାଳନା ଶାଖା ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ,ନୟାଗଡ଼ଙ୍କ ମିଳିତ ସହଯୋଗରେ ଜିଲ୍ଲାପରିଷଦ ନୟାଗଡ଼ଙ୍କ ଡିପିଆର୍‌ସି ଗୃହରେ କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡ଼ନ ଅଧିନିୟମ-୨୦୧୩ ସମ୍ବନ୍ଧରେ ଏକ ଦିବସୀୟ ଜିଲ୍ଲାସ୍ତରୀୟ ତାଲିମ ଶିବିର ଜିଲ୍ଲାର ବିଭିନ୍ନ ବିଭାଗର କାର୍ଯ୍ୟରତ କର୍ମଚାରୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଆଇନସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡ ତାଲିମ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିବାବେଳେ ଓଡ଼ିଶା ଜୀବିକା ମିଶନର ଦକ୍ଷତା ବିକାଶ ସଂଯୋଜକ କେଳୁଚରଣ ସେଠୀ ଅତିଥି ପରିଚୟ ପ୍ରଦାନ କରିବା ସହିତ ଶିବିରକୁ ସଂଯୋଜନା କରିଥିଲେ । ମୁଖ୍ୟଅତିଥ୍ୟ ସଚିବ ମଛଖଣ୍ଡ କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡ଼ନ ଅଧିନିୟମ-୨୦୧୩ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଭାବରେ ଜିଲ୍ଲାର ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ କର୍ମକ୍ଷେତ୍ରରେ ଯୌନ ଉପୀଡ଼ନ କ’ଣ, ଯୌନ ଉତ୍ପୀଡ଼ନ ବିରୋଧରେ କିଏ ଅଭିଯୋଗ ଦାଖଲ କରିପାରିବେ ଏବଂ ଅଭିଯୋଗ ଦାଖଲ କରିବାର ପ୍ରକ୍ରିୟା କ’ଣ, କେଉଁଠାରେ ଯୌନ ଉପୀଡ଼ନ ବିରୋଧରେ ଅଭିଯୋଗ ଦାଖଲ କରିପାରିବେ,ଅଧିନିୟମ ଅନୁଯାୟୀ ଅଭିଯୋଗ ଦାଖଲ କରିବା ପରେ କ’ଣ ପ୍ରକ୍ରିୟା ରହିଛି ଇତ୍ୟାଦି ସମ୍ବନ୍ଧରେ ବୁଝାଇଥିଲେ । ଅନ୍ୟତମ ଅତିଥିଭାବେ ଜିଲ୍ଲାପରିଷଦ ସଭାପତି ଇଂ. ଦେବାଶିଷ ପଟ୍ଟନାୟକ, ସିଡିଓ-କମ୍-ଇଓ ଲଗ୍ନଜିତ ରାଉତ, ଅଧିବକ୍ତା ଦଣ୍ଡପାଣି ସ୍ଵାଇଁ, ବରିଷ୍ଠ ଓକିଲ ରମେଶ ଚନ୍ଦ୍ର ମହାରଣା, ଡିପିସି ଶାଶ୍ଵତ କୁମାର ସାହୁ, ଓଡ଼ିଶା ଜୀବିକା ମିଶନ ଜିଲ୍ଲା ସଂଯୋଜିକା ସୁଚିସ୍ମିତା ପ୍ରିୟଦର୍ଶିନୀ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

ଜିଲ୍ଲାରେ କାର୍ଯ୍ୟରତ ୧୧୫ଜଣ ଜିସିଆର୍‌ପିଙ୍କ ମଧ୍ୟରୁ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ୪ଜଣ ଜିସିଆର୍‌ପିଙ୍କୁ ମୁଖ୍ୟଅତିଥି ସମ୍ବର୍ଦ୍ଧିତ କରିଥିଲେ । ଶିବିରରେ ଗ୍ରାମୀଣ ଆଇନ ସଚେତନତା କର୍ମୀ ପ୍ରଫୁଲ୍ଲ କୁମାର ବେହେରା, ଲିପ୍‌ସା ଦାସ ଏବଂ ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା ଓ ରାଜେଶ କୁମାର ବାରିକ ପ୍ରମୁଖ ସାମିଲ ହୋଇଥିଲେ । ଶେଷରେ ଓଡ଼ିଶା ଜୀବିକା ମିଶନର ଜିଲ୍ଲାପ୍ରକଳ୍ପ ପରିଚାଳକ ବିଶ୍ବଜିତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

ଅଧିକ ପଢନ୍ତୁ

kc ads