ଜଙ୍ଗଲି କୁଟୁରାକୁ ଉଦ୍ଧାର କଲେ ଦୁଇ ଶିକ୍ଷକ

ନୟାଗଡ଼,(ଓଡ଼ିଶା ଦର୍ପଣ): ଦୁଇଜଣ ଶିକ୍ଷକ ଆଜି ବାଲାଙ୍ଗୀ ପାର୍କରେ ପ୍ରାତଃ ଭ୍ରମଣ କରୁଥିବା ସମୟରେ  ଏକ ଗର୍ଭବତୀ କୁଟୁରାକୁ  ଜଳାଶୟ ମଧ୍ୟରୁ ଉଦ୍ଧାରକରି ଜିଲ୍ଲା ବନ୍ୟ ବିଭାଗକୁ ହସ୍ତାନ୍ତର କରିଛନ୍ତି । ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶରତ କୁମାର ସାହୁ ଓ ଶିକ୍ଷକ  ପ୍ରତାପ କୁମାର ପରିଡ଼ା ସ୍ଥାନୀୟ ବାଲାଙ୍ଗୀ ପାର୍କରେ ପ୍ରାତଃ ଭ୍ରମଣ କରୁଥିବା ବେଳେ ସେଠାରେ ଥିବା ଜଳାଶୟ ମଧ୍ୟରେ ଏକ କୁଟୁରା ପଡିଯାଇଥିବା ଦେଖିବାକୁ ପାଇଥିଲେ। ଶିକ୍ଷକ ପ୍ରତାପ ପରିଡ଼ା ଜଳାଶୟ ମଧ୍ୟରେ ସାହସର ସହ ପ୍ରବେଶ କରି ସେହି କୁଟୁରାକୁ  ଉଦ୍ଧାର କରିଥିବା ବେଳେ ବିଜ୍ଞାନ ନିରୀକ୍ଷକ ଶ୍ରୀ ସାହୁ ତାଙ୍କୁ ପୂର୍ଣ୍ଣମାତ୍ରାରେ ସହଯୋଗ କରିଥିଲେ। କୁଟୁରାକୁ ଉଦ୍ଧାର କରିବା ପରେ ସେମାନେ ତୁରନ୍ତ ବନ ବିଭାଗକୁ ଫୋନ କରି ଜଣାଇଥିଲେ।

ଫଳରେ ବନ ବିଭାଗର ଏକ ଟିମ ସେଠାରେ ପହଞ୍ଚିବା ସହିତ ଉଦ୍ଧାର ହୋଇଥିବା ଗର୍ଭବତୀ କୁଟୁରାକୁ ଅଧିକ ଚିକିତ୍ସା ନିମନ୍ତେ ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଦୁଇ ଶିକ୍ଷକଙ୍କ ଏପରି ସାଧୁ ଉଦ୍ୟମ ଯୋଗୁଁ ଜୀବନ ମରଣ ସହ ସଂଘର୍ଷ କରୁଥିବା ଏକ କୁଟୁରାର ଜୀବନ ରକ୍ଷା ହୋଇଥିବାରୁ ବନ ବିଭାଗ ତଥା ଡିଏଫଓଙ୍କ ସମେତ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଉଚ୍ଚ ପ୍ରଶଂସା କରାଯାଇଛି।

ଅଧିକ ପଢନ୍ତୁ

Odisha Darpan Digital