ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ସହ ଅପରାଧୀ ଓ ଅସାମାଜିକଙ୍କ ଉପରେ କଡ଼ା ପଦକ୍ଷେପ ନେବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ‘ଦମନ’ ଆରମ୍ଭ କରାଯିବ । ଏହି ଅଭିଯାନ ସେପ୍ଟେମ୍ବର ୨୧ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ ।ଅପରାଧୀଙ୍କ ଉପରେ ନଜର, ଗିରଫ ପରୱାନା କାର୍ଯ୍ୟକାରୀ, ବେଆଇନ ମଦ ଓ ନିଶାଦ୍ରବ୍ୟ କାରବାର ବିରୋଧରେ ଚଢ଼ାଉକୁ ଗୁରୁତ୍ୱ ଦିଆଯିବ।ବଳପୂର୍ବକ ଚାନ୍ଦା ଆଦାୟ ଏବଂ ସଂଗଠିତ ଅପରାଧ ବିରୋଧରେ ମଧ୍ୟ କଡ଼ା ଆଇନଗତ ପଦକ୍ଷେପ ନିଆଯିବ।ଅପରାଧୀଙ୍କ ଗତିବିଧି ରୋକିବା ପାଇଁ ସୀମାନ୍ତ ଅଞ୍ଚଳରେ ବ୍ଲକିଂ ଓ ବର୍ଡର ସିଲିଂ କରାଯିବ। ଜିଲ୍ଲା ପୋଲିସ, ରେଳବାଇ ପୋଲିସ, କମିଶନରେଟ୍ ପୋଲିସ ଓ ସମ୍ପୃକ୍ତ ପୋଲିସ ୟୁନିଟ୍ଗୁଡ଼ିକ ପରସ୍ପର ସମନ୍ୱୟରେ ଏହି ଅଭିଯାନକୁ କାର୍ଯ୍ୟକାରୀ କରିବେ।ପର୍ବପର୍ବାଣୀ ସମୟରେ ରାଜ୍ୟବାସୀଙ୍କ ସୁରକ୍ଷା ଓ ଶାନ୍ତିପୂର୍ଣ୍ଣ ପରିବେଶ ସୁନିଶ୍ଚିତ କରିବା ସହ ଅପରାଧ ନିୟନ୍ତ୍ରଣ ପାଇଁ ଓଡ଼ିଶା ପୋଲିସର ନିରନ୍ତର ପ୍ରୟାସ ଜାରି ରହିବ ବୋଲି କୁହାଯାଇଛି ।
