ମଝି ସମୁଦ୍ରରେ ବିପଦରେ ଫସିଥିବା ଜାହାଜକୁ ସଫଳତାର ସହ ଉଦ୍ଧାର କରିଛି ପାରାଦୀପ ବନ୍ଦର କର୍ତ୍ତୃପକ୍ଷ । ଜାହାଜରେ ପାଣି ପଶିବା ସହ ପ୍ରପେଲର ଶାଫ୍ଟ ଅଚଳ ହୋଇଯିବାରୁ ଏହା ସମୁଦ୍ର ମଝିରେ ଫସି ରହିଥିଲା । କୋଷ୍ଟ ଗାର୍ଡ ସହ ମିଶି ଜାହାଜକୁ ପାରାଦୀପ ପର୍ଯ୍ୟନ୍ତ ସୁରକ୍ଷିତ ଆଣିବା ସହ ସମସ୍ତ ୨୭ ଜଣ କ୍ରିଉ ମେମ୍ବରଙ୍କ ଜୀବନ ବଞ୍ଚାଇଛନ୍ତି। ଅସୁସ୍ଥ ହୋଇପଡିଥିବା ଜଣେ ନାବିକଙ୍କୁ ଚିକିତ୍ସା ପାଇଁ ପାରାଦୀପ ପୋର୍ଟ ହସ୍ପିଟାଲକୁ ଅଣାଯାଉଛି।ପାରାଦୀପ ବନ୍ଦରଠାରୁ ପ୍ରାୟ ୫୦ ନଟିକାଲ୍ ମାଇଲ୍ ଦୂରରେ ଏମ୍ଭି ବିଶ୍ୱ ଉଦୟ ନାମକ ଜାହାଜଟି ବିପଦରେ ପଡ଼ିଥିଲା । ନଭେମ୍ବର ୧୬ ତାରିଖରେ ସିପିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଏନେଇ ପାରାଦୀପ ବନ୍ଦରକୁ ଜରୁରୀ ସୂଚନା ଦିଆଯାଇଥିଲା । ଖବର ପାଇବା ପରେ ବନ୍ଦର କର୍ତ୍ତୃପକ୍ଷ ତୁରନ୍ତ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ ।ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ମେରାଇନ୍ ଆଡମିନିଷ୍ଟ୍ରେସନ୍ଙ୍କ ଅନୁମତି ପରେ ନଭେମ୍ବର ୧୬ ତାରିଖ ଦିନ ୧୨ଟା ୩୦ରେ ପାରାଦୀପ ବନ୍ଦରର ଦୁଇଟି ଟଗ୍—ଡଲଫିନ୍ ୨୫ ଓ ଡଲଫିନ୍ ୨୦ ଉଦ୍ଧାର ପାଇଁ ବାହାରିଥିଲା । ହାର୍ବର ମାଷ୍ଟର କ୍ୟାପଟେନ୍ ଇନ୍ଦ୍ରନୀଲ ମୁଖାର୍ଜୀଙ୍କ ନେତୃତ୍ୱରେ ଏହି ଅଭିଯାନ ଚାଲିଥିଲା । ଡଲଫିନ୍ ୨୫ ଆଗରେ ରହି ଜାହାଜକୁ ଟାଣିଥିବା ବେଳେ ଡଲଫିନ୍ ୨୦ ଆବଶ୍ୟକ ସହଯୋଗ ଯୋଗାଇଥିଲା ।ଉଭୟ ଟଗ୍ର ସମନ୍ୱିତ ଉଦ୍ୟମ ଯୋଗୁଁ ନଭେମ୍ବର ୧୭ ତାରିଖ ସକାଳେ ଜାହାଜଟିକୁ ବାହ୍ୟ ବନ୍ଦର ସୀମାରେ ସୁରକ୍ଷିତ ଭାବେ ରଖାଯାଇଥିଲା ।
