ଫୁଟବଲ ଜଗତର ମହାନ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଛନ୍ତି । ୪୧ ବର୍ଷୀୟ ପର୍ତ୍ତୁଗାଲ ଷ୍ଟାର ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ଏହି ସୂଚନା ଦେଇଛନ୍ତି ।ପର୍ତ୍ତୁଗାଲ୍ ପାଇଁ ରୋନାଲ୍ଡୋଙ୍କ ଅବଦାନ ଅତୁଳନୀୟ। ସେ ଦେଶ ପାଇଁ ୨୩୪ଟି ମ୍ୟାଚ୍ ଖେଳି ୧୪୬ଟି ଗୋଲ୍ ସ୍କୋର କରିଛନ୍ତି। ଏଥିସହ ସେ ପୁରୁଷ ଆନ୍ତର୍ଜାତୀୟ ଫୁଟବଲ୍ରେ ସର୍ବାଧିକ ମ୍ୟାଚ୍ ଖେଳିବା ଓ ସର୍ବାଧିକ ଗୋଲ୍ ସ୍କୋର କରିବାର ରେକର୍ଡ ନିଜ ନାମରେ କରିଛନ୍ତି।ତାଙ୍କ ନେତୃତ୍ୱ ଓ ଅସାଧାରଣ ଖେଳ ପ୍ରଦର୍ଶନ ବଳରେ ପର୍ତ୍ତୁଗାଲ୍ ୨୦୧୬ରେ ପ୍ରଥମ ଥର ପାଇଁ UEFA ୟୁରୋପିଆନ୍ ଚାମ୍ପିୟନସିପ୍ ଟାଇଟଲ୍ ହାସଲ କରିଥିଲା। ଏହା ସହ ୨୦୧୯ ଓ ୨୦୨୫ରେ UEFA ନେସନ୍ସ ଲିଗ୍ ଟ୍ରଫି ଜିତି ଦଳ ଇତିହାସ ରଚିଥିଲା।ନିଜର ଭିଡିଓ ବାର୍ତ୍ତାରେ ରୋନାଲ୍ଡୋ କହିଛନ୍ତି, ପର୍ତ୍ତୁଗାଲର ୭ ନମ୍ବର ଜର୍ସି କେବଳ ତାଙ୍କର ନଥିଲା, ବରଂ ଏହା ସମଗ୍ର ଦେଶର ଆଶା ଓ ସ୍ୱପ୍ନର ପ୍ରତୀକ ଥିଲା । ଗତ ୨୩ ବର୍ଷ ଧରି ଏହି ଜର୍ସି ପିନ୍ଧିବା, ଏହାର ସମ୍ମାନ ରକ୍ଷା କରିବା ଏବଂ ବିଶ୍ୱର ବିଭିନ୍ନ ଷ୍ଟାଡିୟମରେ ଦେଶର ପ୍ରତିନିଧିତ୍ୱ କରିବା ତାଙ୍କ ପାଇଁ ଗର୍ବ ଓ ଦାୟିତ୍ୱର ବିଷୟ ଥିଲା ।
