
ନୟାଗଡ଼,(ଓଡ଼ିଶା ଦର୍ପଣ):ଦଶପଲ୍ଲାର ସାକିଣୀଠାରେ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରୟାତ୍ ଗାନ୍ଧୀବାଦୀ ଆଡଭୋକେଟ ଜନାବ ଏ.ଆର.ଖାନ୍ ଙ୍କ ସ୍ମୃତିରେ ବରିଷ୍ଠ ଆଡଭୋକେଟ ସୁଶାନ୍ତ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଗାନ୍ଧୀ ଦର୍ଶନର ପ୍ରାସଙ୍ଗିକତାକୁ ଭିତ୍ତିକରି ଏକ ତାତ୍ତ୍ଵିକ ଆଲୋଚନା ସଭା ଶହଶହ ପ୍ରଗତିଶୀଳ ମହିଳା ଓ ପୁରୁଷଙ୍କ ଗହଣରେ ଅନୁଷ୍ଠିତ ହୋଇଯାଇଛି। ସରଳ ଜୀବନ ଯାପନ ଓ ଅସାଧାରଣ ମାନବବାଦରେ ବିଶ୍ଵାସ ରଖିଥିବା ଆଡଭୋକେଟ ଖାନଙ୍କ କର୍ମକ୍ଷେତ୍ର ସାକିଣୀ କ୍ଷେତବାଡିରେ ତାଙ୍କର ସୁକନ୍ୟା ତଥା ମେମୋରିଆଲ ଟ୍ରଷ୍ଟର ମୁଖ୍ୟ ଫିର୍ଦୋସଙ୍କ ତତ୍ତ୍ଵାବଧାନରେ ସଂଗଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରଖ୍ୟାତ ବାମପନ୍ଥୀ ଚିନ୍ତାନାୟକ ତଥା ସ୍ତମ୍ଭକାର ସନ୍ତୋଷ ଦାସ ସାଂପ୍ରତିକ ପରିସ୍ଥିତିରେ ଗାନ୍ଧୀବାଦର ପ୍ରାସଙ୍ଗିକତା, ସ୍ଵାଧୀନତା ସଂଗ୍ରାମରେ ଏହାର ପ୍ରୟୋଗ ଓ ସଫଳତା, ଆଜିର କର୍ପୋରେଟ ମାଲିକାନାରେ ଚାଲିଥିବା ବିଶ୍ଵ ପୁଞ୍ଜିବାଦର ଆଗ୍ରାସୀ ଆକ୍ରମଣରେ ଜର୍ଜରିତ ମେହେନତୀ ମଣିଷର ବିକଳ ଆର୍ଥିକ ଚିତ୍ର, ଭାରତର ପ୍ରେକ୍ଷାପଟରେ କେନ୍ଦ୍ର ପ୍ରାୟୋଜିତ ସାଂପ୍ରଦାୟିକ ବିଭାଜନ ରାଜନୀତି, ଜ୍ଞାନେଶକୁମାର ଭଳି ବଚସ୍କର ବ୍ୟୁରୋକ୍ରାସୀଦ୍ଵାରା ଭୋଟର ତାଲିକା ଉପରେ ବ୍ୟବସ୍ଥାଗତ ଆକ୍ରମଣ, ନାଥୁରାମ ଗଡସେକୁ ଜାତୀୟ ହିରୋଭାବରେ ଉପସ୍ଥାପନ କରିବା, ଆଜି ଗାନ୍ଧୀବାଦୀ ମତାଦର୍ଶ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି ଏବଂ ଭାରତର ଆତ୍ମିକ ସତ୍ତା କୁ କ୍ଷତାକ୍ତ କରିଛି ବୋଲି ମୁଖ୍ୟବକ୍ତା ବ୍ୟକ୍ତ କରିଥିଲେ । ଗାନ୍ଧୀବାଦର ସୁରକ୍ଷା ପାଇଁ କୃଷିବିପ୍ଳବକୁ ଉଜ୍ଜୀବିତ କରିବା ଲକ୍ଷ୍ୟରେ ସଘନ ଜୈବକୃଷି, ଆତ୍ମନିର୍ଭରଶୀଳ ପାରମ୍ପରିକ କୃଷିକୁ ବିକଶିତ କରିବାପାଇଁ ଆହ୍ୱାନ ଦେଇଥିଲେ ଟ୍ରଷ୍ଟର ଅନ୍ୟତମ ପ୍ରବକ୍ତା ଆଡଭୋକେଟ ମୃଗାଙ୍କମୌଳି ପଟ୍ଟନାୟକ। କାର୍ଯ୍ୟକ୍ରମର ପ୍ରମୁଖ ଉଦ୍ୟୋକ୍ତା ପ୍ରଗତିଶୀଳ ଅଧିବକ୍ତା ଶରତଚନ୍ଦ୍ର ବେହେରା ସ୍ଵାଗତ ଅଭିଭାଷଣରେ ଅବହେଳିତ ମାଳ ଅଞ୍ଚଳର ପ୍ରଗତିକାମୀ ଶହଶହ ଯୋଗଦାନକାରୀ ନାରୀ ଓ ପୁରୁଷଙ୍କୁ ଚେତନଶୀଳ ଭାବରେ ପରିବର୍ତ୍ତନର ସ୍ରୋତରେ ସାମିଲ ହେବାକୁ ଆବେଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଆନ୍ତଃ ଜାତୀୟ ଖ୍ୟାତି ସଂପନ୍ନ କବୟତ୍ରୀ ବସିରନ୍ ବିବି, ବିଶିଷ୍ଟ ବାମପନ୍ଥୀ ନେତା ତଥା ସାହିତ୍ୟିକ ବିଶ୍ଵନାଥ ମହାପାତ୍ର, ଶିକ୍ଷାବିତ୍ ଉମର୍ ମଲ୍ଲିକ ପ୍ରମୁଖ ଗାନ୍ଧୀ ଦର୍ଶନର ପ୍ରାସଙ୍ଗିକତା ଉପରେ ଆଲୋଚନା କରିବା ସହିତ ଏହି ବାର୍ତ୍ତାର ପ୍ରଚାର ପ୍ରସାର ପାଇଁ ଆହ୍ଵାନ ଦେଇଥିଲେ। ମାଟିର ସ୍ଵର ପ୍ରଭାତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ! ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ଚମଡା ଶିଳ୍ପ କାରୀଗର ଖେଡୁଭାଇ ଓ ଜଣେ ସଫଳ କୃଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
