ଆଜି ପବିତ୍ର ମହା ବିଷୁବ ସଂକ୍ରାନ୍ତି

ଆଜି ପବିତ୍ର ମହା ବିଷୁବ ସଂକ୍ରାନ୍ତି। ଓଡ଼ିଆ ଅସ୍ମିତା ଓ ପରମ୍ପରାର ମହାମିଳନ। ଓଡ଼ିଆ  ପଞ୍ଜିକା ଅନୁଯାୟୀ, ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ହେଉଛି ବର୍ଷର ପ୍ରଥମ ଦିନ। ଏହା କେବଳ ଏକ ତିଥି ନୁହେଁ, ବରଂ ଓଡ଼ିଆ ଜାତିର ସାଂସ୍କୃତିକ ଚେତନା ଏବଂ ପ୍ରକୃତି ପ୍ରତି ଥିବା ସମ୍ମାନର ଏକ ପ୍ରତିଫଳନ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆଜି ସୂର୍ଯ୍ୟ ମୀନ ରାଶିରୁ ମେଷ ରାଶିକୁ ଗମନ କରନ୍ତି । ସୂର୍ଯ୍ୟ ବିଷୁବ ରେଖା ଉପରେ ଅବସ୍ଥାନ କରୁଥିବାରୁ ଦିନ ଓ ରାତିର ଅବଧି ପ୍ରାୟ ସମାନ ରହେ । ଏହି ସମୟରୁ ହିଁ ଗ୍ରୀଷ୍ମ ଋତୁର ପ୍ରକୋପ ବଢ଼ିଥାଏ। ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଆଜିର ଦିନକୁ ‘ହନୁମାନ ଜୟନ୍ତୀ’ ଭାବେ ପାଳନ କରନ୍ତି । ଭକ୍ତମାନେ ହନୁମାନଙ୍କୁ ଶକ୍ତି ଓ ସାହସର ପ୍ରତୀକ ଭାବେ ପୂଜା କରି ନୂତନ ବର୍ଷର ଶୁଭକାମନା କରନ୍ତି । ଆଜିର ଦିନରେ ‘ପଣା’ ସେବନର ପରମ୍ପାର ରହିଛି । ତେଣୁ ବିଷୁବ ସଂକ୍ରାନ୍ତିକୁ ପଣା ସଂକ୍ରାନ୍ତିର ନାଁ ଦିଆଯାଇଛି । ଆଜିର ଦିନରେ ପ୍ରତି ଘରେ ମା’ମାନେ ତୁଳସୀ ଚଉରା ମୂଳେ ପୂଜା କରି ପାଳନ କରନ୍ତି ପଣା ସଂକ୍ରାନ୍ତି । ପ୍ରଥମେ ତୁଳସୀ ଚଉରା ମୂଳରେ ଛୋଟ ମାଠିଆରେ ପଣା ରଖି ବାନ୍ଧି ଦିଆଯାଏ । ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ ଯାହା ବର୍ଷାକୁ ସୂଚାଏ , ଏହି ଠେକିକୁ ବସୁନ୍ଧରା ବା ବସନ୍ତରା ଠେକି ବୋଲି ମଧ୍ୟ କୁହାଯାଏ ।ପଣା ମୁଖ୍ୟତଃ ପଇଡ଼ ପାଣି, ଛେନା, କଦଳୀ, ଗୁଡ଼, ଗୋଲମରିଚ, କର୍ପୂର ଏବଂ ଉତ୍ତମ ଫଳମୂଳର ମିଶ୍ରଣରେ ପ୍ରସ୍ତୁତ ହୁଏ ।ଚଣ୍ଡୀ, ସାରଳା, ବିରଜା ଆଦି ଠାକୁରାଣୀ ମନ୍ଦିରମାନଙ୍କରେ ଏହି ଦିନ ଝାମୁ ଯାତ୍ରା ପାଳନ କରାଯାଏ । ଘଣ୍ଟ ପାଟୁଆମାନେ ଘଣ୍ଟ ମୁଣ୍ଡେଇ, କାଠ ଗୋଡ଼ ପିନ୍ଧି ଠାକୁରାଣୀ ମନ୍ଦିର ଆଗରେ ନିଆଁ ଉପରେ ଚାଲିବାର ପ୍ରଥା ରହିଛି । ଦକ୍ଷିଣ ଓଡ଼ିଶାରେ ମାସେ ଧରି ଚାଲିଥିବା ଦଣ୍ଡ ନାଟର ଅନ୍ତ ଭାବେ ଏହି ଦିନ ‘ମେରୁ ଯାତ’ ପାଳନ କରାଯାଏ ।ପଣା ସଂକ୍ରାନ୍ତି ଅବସରରେ ପୂରା ଓଡ଼ିଶାରେ ପାଳନ ହୁଏ ନୂଆବର୍ଷ ।

ଅଧିକ ପଢନ୍ତୁ