ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖରେ ବିଶ୍ୱ ହୃତ୍ପିଣ୍ଡ ଦିବସ (World Heart Day) ପାଳନ କରାଯାଇଥାଏ।ହୃଦ୍ରୋଗ ଏବଂ ଏହାର ପ୍ରାଣାନ୍ତକ ପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ସୁସ୍ଥ ହୃତ୍ପିଣ୍ଡ ପାଇଁ ନିୟମିତ ବ୍ୟାୟାମ, ସନ୍ତୁଳିତ ଆହାର ଏବଂ ମାନସିକ ଚାପମୁକ୍ତ ଜୀବନଶୈଳୀ ଅତି ଜରୁରୀ।ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଓ ବିଶ୍ବ ହୃତ୍ପିଣ୍ଡ ଫେଡରେସନ୍ ପୂର୍ବତନ ସଭାପତି ଆଣ୍ଟୋନି ବାଇ ଡେ ଲୁନାଙ୍କ ମିଳିତ ପ୍ରୟାସରେ ୧୯୯୯ ମସିହାରେ ଏହି ଦିବସର ପରିକଳ୍ପନା କରାଯାଇଥିଲା । ପ୍ରଥମ ହୃତ୍ପିଣ୍ଡ ଦିବସ ୨୦୦୦ ମସିହା ସେପ୍ଟେମ୍ବର ୨୪ ତାରିଖରେ ପାଳନ କରାଯାଇଥିଲା । ପରବର୍ତ୍ତୀ ସମୟରେ ୨୦୧୨ ମସିହାରୁ ସେପ୍ଟେମ୍ବର ୨୯ ତାରିଖକୁ ଓ୍ବାର୍ଲ୍ଡ ହାର୍ଟ ଡେ ଭାବେ ପାଳନ କରିବାକୁ ସ୍ଥିର କରାଗଲା ।ବର୍ତ୍ତମାନ ସମୟରେ ସମଗ୍ର ବିଶ୍ବରେ ପ୍ରାୟ ୩୧ ପ୍ରତିଶତ ମୃତ୍ୟୁ କେବଳ ହୃଦ୍ରୋଗ ଯୋଗୁଁ ହେଉଛି । ବିଶେଷ କରି ଗରିବ ଓ ବିକାଶଶୀଳ ଦେଶଗୁଡ଼ିକରେ ସଚେତନତା ଅଭାବରୁ ପ୍ରାୟ ୭୫ ପ୍ରତିଶତ ମୃତ୍ୟୁ ହୃଦ୍ରୋଗ ଯୋଗୁଁ ହେଉଛି । ଦୁର୍ବଳ ଖାଦ୍ୟଶୈଳୀ, ପରିଶ୍ରମ କାତରତା ଓ ଧୂମପାନ ଆଦି କାରଣ ଏଥିପାଇଁ ମୁଖ୍ୟତଃ ଦାୟୀ। ଏଣେ ହୃତ୍ପିଣ୍ଡଜନିତ ରୋଗର ଚିକିତ୍ସା ପାଇଁ ବ୍ୟୟବହୁଳ ସ୍ବାସ୍ଥ୍ୟସେବା ପ୍ରଣାଳୀ ଜଡ଼ିତ ରହୁଥିବାରୁ ଦେଶ ଉପରେ ଏହି ରୋଗର ଅର୍ଥନୈତିକ ଚାପ ମଧ୍ୟ ପଡ଼ିଥାଏ।
