ଆଜି ମହାପ୍ରଭୁଙ୍କ ଭଉଁରୀ ଯାତ

ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ବିଶେଷ ଆକର୍ଷଣ ଭଁଉରୀ ମହୋତ୍ସବ । ପାରମ୍ପରିକ ବାଦ୍ୟ ତଥା ଭଜନ କୀର୍ତ୍ତନର ପଟୁଆରରେ ବଡ଼ଦାଣ୍ଡରେ ଉଭାହେବେ ଚନ୍ଦନ ଦଶ ଠାକୁର ।ଠାକୁରଙ୍କ ଏହି ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ନୀତି ଧାର୍ଯ୍ୟ ହୋଇଛି । ଅପରାହ୍ଣ ୧ଟାରେ ଯାତ ଭୋଗ ସରିଲେ ୨ଟାରେ ଚନ୍ଦନକୁ ଠାକୁରେ ବିଜେ ହେବେ । ନରେନ୍ଦ୍ର ଅଭିମୁଖେ ଠାକୁରଙ୍କ ବିମାନ ଉଠିବା ସମୟ ରହିଛି ୨ଟା ୩୦ । ଏହି ଅବସରରେ ଠାକୁରଙ୍କ ଜଳଲାଗି, ଦିଅଁ ଚନ୍ଦନ କୁଣ୍ଡକୁ ବିଜେ, ଚନ୍ଦନ କୁଣ୍ଡରୁ ବାହାରିବା, ବେଶ, ଶୀତଳ ଭୋଗ, ମାଣ୍ଡୁଅ ଭୋଗ, ବିଡ଼ିଆ ମଣୋହୀ, ବନ୍ଦାପନା ଆଦି ନୀତି ହେବ । ପରେ ମଦନମୋହନ, ଲକ୍ଷ୍ମୀ ସରସ୍ୱତୀ ଓ ରାମକୃଷ୍ଣ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିବେ । ପଞ୍ଚମହାଦେବ ନିଜ ନିଜ ଆସ୍ଥାନକୁ ଫେରିଯିବେ । ସେପଟେ ପବିତ୍ର ଭଉଁରୀ ଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ରୋକ୍ ଲାଗିଛି । ଭଉଁରୀ ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ଶ୍ରୀମନ୍ଦିର, ଶ୍ରୀମନ୍ଦିର କାର୍ଯ୍ୟାଳୟ ଓ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ବ୍ୟାପକ ଫୋର୍ସ ମୁତୟନ କରାଯିବ । ଏଥିସହ ଅଗ୍ନିଶମ ବାହିନୀ ଓ ଲାଇଫଗାର୍ଡକୁ ମଧ୍ୟ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ବ୍ୟାପକ ମାତ୍ରାରେ ମୁତୟନ କରାଯିବାର ବ୍ୟବସ୍ଥା କରାଯାଇଛି ।

ଅଧିକ ପଢନ୍ତୁ