ବଲିଉଡର ଷ୍ଟାର ଅଭିନେତା ତଥା ଆମିର ଖାନଙ୍କ ଭଣଜା ଇମ୍ରାନ ଖାନଙ୍କ ଅଡୁଆ ବଢିବାରେ ଲାଗିଛି । ମୁମ୍ବାଇର କ୍ରାନ୍ତି ମଇଦାନରେ ସିଇସିଙ୍କ ଇସ୍ତଫାକୁ ନେଇ ଚାଲିଥିବା ବିରୋଧ ପ୍ରଦର୍ଶନରେ ଭାଗ ନେଇଥିବା ଯୋଗୁଁ ଇମ୍ରାନଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ମିଳିଛି । ଅକ୍ଟୋବର ୨୮ ସୁଦ୍ଧା ତାଙ୍କୁ ଭାରତରୁ ବାହାରି ଯିବାକୁ କୁହାଯାଇଛି । ଏଥିପାଇଁ ନୋଟିସ ଜାରି ହୋଇଛି । ଇମ୍ରାନଙ୍କୁ ଏହି ନୋଟିସ ମୁମ୍ବାଇ ପୋଲିସ ପକ୍ଷରୁ ଦିଆଯାଇଛି । ନୋଟିସକୁ ରିସିଭ କରିଛନ୍ତି ଅଭିନେତା ।ପ୍ରତିବାଦ ଘଟଣାରେ ତାଙ୍କ ନାଁ ରେ ମାମଲା ରୁଜୁ କରିବା ସହ ତାଙ୍କୁ ଅଟକ ରଖିଥିଲା ମୁମ୍ବାଇ ପୋଲିସ । ଇମ୍ରାନଖାନଙ୍କ ଛଡା ତାଙ୍କ ସମ୍ପର୍କୀୟ ଭଉଣୀ ଏବଂ ମେଡ ଇନ ହେଭେନ ଅଭିନେତା ଜୈନ ଖାନଙ୍କୁ ମଧ୍ୟ ପ୍ରତିବାଦ ସମୟରେ ଅଟକ ରଖାଯାଇଥିଲା । ଯାହା ସୋସିଆଲ ମିଡିଆରେ ଏକ ଚର୍ଚ୍ଚାର ବିଷୟ ପାଲଟି ଥିଲା । ଇମ୍ରାନଖାନ ଆମେରିକୀୟ ନାଗରିକ ଏବଂ ତାଙ୍କର ଏକ ଓଭରସିଜ ସିଟିଜେନ ଅଫ ଇଣ୍ଡିଆ କାର୍ଡ ଅଛି ଯାହା ତାଙ୍କୁ ଭାରତରେ ରହିବା ଏବଂ କାମ କରିବାକୁ ଅନୁମତି ମିଳିଥାଏ ।
