SI ପେପର ଲିକ୍ ମାମଲାରେ EDର ଆକ୍ସନ୍, ୧୨ଟି ସ୍ଥାନରେ ଚଢ଼ାଉ

SI ପେପର ଲିକ୍ ରେ EDର ଚାଞ୍ଚଲ୍ୟକର ଖୁଲାସା । ଓଡ଼ିଶା ପୋଲିସ ସବ୍ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା EDର ବଡ଼ କାର୍ଯ୍ୟାନୁଷ୍ଠାନ । ଓଡ଼ିଶା ଓ ପଶ୍ଚିମବଙ୍ଗର ମୋଟ ୧୨ଟି ସ୍ଥାନରେ ଚଢ଼ାଉ କରିଛି EDର ଭୁବନେଶ୍ୱର ଜୋନାଲ ଅଫିସ୍। ଅକ୍ଟୋବର ୯, ୧୦ ଓ ୧୨ ତାରିଖରେ ହୋଇଥିବା ଏହି ତଲାସି ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ, ଇଲେକ୍ଟ୍ରୋନିକ୍ ଉପକରଣ ଓ ଆର୍ଥିକ କାରବାର ସମ୍ପର୍କିତ ରେକର୍ଡ ଜବତ କରାଯାଇଛି। ସୂଚନାମୁତାବକ ସିଲିକନ ଟେକ୍ଲାବ୍ ପ୍ରାଇଭେଟ୍ ଲିମିଟେଡ୍(ଏସ୍‌ଟିପିଏଲ୍) ଓ ପିଏସ୍ଆଇଏଲ୍ (ପଟ୍ଟନାୟକ ଷ୍ଟିଲ୍ ଇଣ୍ଟରନ୍ୟାସନାଲ୍ ଲିମିଟେଡ୍)ର ଭିତିରି ବୁଝାମଣାରେ ଇଡି ତଦନ୍ତ ଲଟିକିଛି । ଚାକିରି ପାଇଁ କୋଟି କୋଟି ଟଙ୍କାର ବେଆଇନ୍ ଆର୍ଥିକ କାରବାରରେ ପିଏସ୍ଆଇଏଲ୍ ସଂସ୍ଥାର ସମ୍ପୃକ୍ତି ନେଇ ଖୋଳତାଡ଼ ଚାଲିଛି ।ଏସ୍‌ପିଟିଏଲର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ନାୟକ ଏବଂ ପଞ୍ଚସଫ୍ଟ ଟେକ୍ନୋଲୋଜି’ର ନିର୍ଦ୍ଦେଶକ ଶଙ୍କର ପୃଷ୍ଟିର ଚାକିରି କେଳେଙ୍କାରୀରେ ସମ୍ପୃକ୍ତିର ଠୋସ୍ ପ୍ରମାଣ ମିଳିଛି । ଏହାଛଡ଼ା ତଦନ୍ତରୁ ଜଣାପଡି଼ଛି ଯେ ୨୦୨୩ ଅଗଷ୍ଟ ୩ରେ ପିଏସ୍ଆଇଏଲ୍’ର ନିର୍ଦ୍ଦେଶକ ସମୀର ରଥ ଓ ତାଙ୍କ ପତ୍ନୀ ଶାଶ୍ୱତୀ ମିଶ୍ର ସିଲିକନ୍ ଟେକ୍ଲ୍ୟାବ୍‌ର ସର୍ବାଧିକ ଅଂଶଧନ ହାସଲ କରିଥିଲେ । ସେୟାର କ୍ରୟ ଚୁକ୍ତିନାମା ଅଧୀନରେ ହୋଇଥିବା ଏହି ଚୁକ୍ତିନାମାକୁ ଦୁଇଟି କମ୍ପାନୀ ପକ୍ଷରୁ କମ୍ପାନୀ ରେଜିଷ୍ଟ୍ରାରଙ୍କ ଠାରେ କେବେବି ଦାଖଲ କରାଯାଇନି ।

ପିଏସ୍ଆଇଏଲ୍‌ର ନିର୍ଦ୍ଦେଶକ ଦ୍ୱୟ ଏସ୍‌ଟିପିଏଲର ଅଂଶଧନ ହାସଲ କରିଥିଲେ ହେଁ ସିଲିକନ ଟେକ୍ଲାବ୍‌ର ନିର୍ଦ୍ଦେଶକ ଶ୍ରୀ ନାୟକ ହିଁ ଏହାର ନିର୍ଦ୍ଦେଶକ ସାଜିଥିଲେ । ସେ ବିନା ଅନୁମତିରେ ଆଇଟିଆଇ ଲିମିଟେଡ୍ ସହ ଏସ୍ଆଇ ପରୀକ୍ଷାର ପରିଚାଳନା ଦାୟିତ୍ୱ ମୁଣ୍ଡାଇଥିଲେ । ଶ୍ରୀ ନାୟକଙ୍କ ଏହି ବେଆଇନ୍ କାର୍ଯ୍ୟକଳାପକୁ ଶ୍ରୀ ରଥ ଏବଂ ତାଙ୍କ ସ୍ତ୍ରୀ ଆଇଟିଆଇ ଲିମିଟେଡକୁ ଜଣାଇ ନଥିଲେ । ଏହି ଭିତିରି ବୁଝାମଣା ଯୋଗୁ ଶ୍ରୀ ନାୟକ ଏସ୍ଆଇ ପରୀକ୍ଷାର ପ୍ରଶ୍ନପତ୍ର ହାତେଇ ନେଇଥିଲେ ।

ଅଧିକ ପଢନ୍ତୁ