ଆସୁଛି ବ୍ୟାକ୍‌-ଟୁ-ବ୍ୟାକ୍‌ ଲଘୁଚାପ, ୧୪ରେ ପ୍ରଥମ, ୧୯ରେ ଦ୍ଵିତୀୟ ଲଘୁଚାପ

ପୁଣି ବଙ୍ଗୋପସାଗରରେ ଆସୁଛି ଲଘୁଚାପ। ଉତ୍ତର ଓଡ଼ିଶା-ଝାଡ଼ଖଣ୍ଡ ପାଖରେ ସ୍ଥଳଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ୧୨/୧୩ ତାରିଖବେଳକୁ । ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ୧୪ ତାରିଖବେଳକୁ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ଅଧିକ ସମୟ ରହିବନି । ତଥାପି ୧୩ରୁ ୧୫ ଭଲ ବର୍ଷା ହେବ । ବିଶେଷ କରି ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ବର୍ଷା ପରିମାଣ ଅଧିକ ରହିପାରେ । ଏହା ପରେ ବର୍ଷା କମିଲେ ମଧ୍ୟ ପାଗ ମୁଖ୍ୟତଃ ମେଘୁଆ ରହିବା ସମ୍ଭାବନା ଅଛି । ପୁଣି ୧୯ ତାରିଖବେଳକୁ ଆଉ ଏକ ଲଘୁଚାପ ହୋଇପାରେ ସେଇ ସମାନ ଅଞ୍ଚଳ ପାଖରେ । ଏହା ପ୍ରଭାବରେ ୧୮ରୁ ୨୨ ଯାଏ ବର୍ଷା ରହିପାରେ । ଦ୍ୱିତୀୟ ଲଘୁଚାପ ପ୍ରଭାବରେ ପୁଣି ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ଅଛି ।ମହାନଦୀ ଉପର ମୁଣ୍ଡରେ ମଧ୍ୟ ପ୍ରବଳ ବର୍ଷା ହେବ। ତେବେ ତଳ ମୁଣ୍ଡରେ ବର୍ଷା କମ୍ ହେବା ଯୋଗୁ ମହାନଦୀରେ ବନ୍ୟା ଆଶଙ୍କା ରହିବନି। ନବରଙ୍ଗପୁର, ନୂଆପଡ଼ାରେ ପବନ ଓ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଆଦି ଜିଲାରେ ଝଟକା ପବନ ସହିତ ଘଡ଼ଘଡ଼ି ଓ ବର୍ଷା ହେବାର ଆକଳନ କରାଯାଇଛି।

ଅଧିକ ପଢନ୍ତୁ