ମିଶରର ରାଜଧାନୀ କାଇରୋର ରିଙ୍ଗ ରୋଡରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏକ ତେଲ ଟ୍ୟାଙ୍କରରେ ନିଆଁ ଲାଗିଯିବାରୁ ୩୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୧ ରୁ ଅଧିକ ଆହତ ହୋଇଛନ୍ତି । ବିସ୍ଫୋରଣ ପରେ ଲାଗିଥିବା ନିଆଁ ଦ୍ରୁତ ଗତିରେ ବ୍ୟାପିବା ସହିତ ନିକଟରେ ଥିବା ଡଜନ ଡଜନ ଯାନବାହନକୁ ଗ୍ରାସ କରିଥିଲା।ମିଶର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ, ବୁଧବାର ରାତିରେ ଏହି ଅଘଟଣ ଘଟିଛି । କାହିରାର ଏକ ଗୁରୁତ୍ୱପୂର୍ଣ୍ଣ ରିଙ୍ଗ୍ ରୋଡରେ ତୈଳ ଟ୍ୟାଙ୍କରଟି ଓଲଟି ପଡିଥିଲା । ଏହା ଏତେ ଭୟଙ୍କର ଥିଲା ଯେ, ପାଖରେ ଥିବା ୧୨ରୁ ଅଧିକ କାର୍ ଏବଂ ବାଇକ୍ ଜଳି ଯାଇଛି । ଗ୍ରେଟର୍ କାହିରାର ଗୀଜା ଅଞ୍ଚଳର ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି ।ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ଜଳୁଥିବା କାର୍ ଭିତରୁ ଲୋକଙ୍କୁ ବାହାର କରୁଥିବା ଦେଖାଯାଇଥିଲା। ଭାଇରାଲ ହୋଇଥିବା ଦୁର୍ଘଟଣାର ଭିଡିଓରେ ଦମକଳ କର୍ମଚାରୀମାନେ କାରଗୁଡ଼ିକ ମଧ୍ୟରେ ବ୍ୟାପିଥିବା ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଥିବା ନଜର ଆସିଛନ୍ତି। ଆହତମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଅଛି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଆହତମାନଙ୍କୁ ଜାଏଦ ସ୍ପେଶାଲାଇଜଡ୍ ଇମ୍ବାବା ଜେନେରାଲ୍ ଏବଂ ୱାରାକ୍ କେନ୍ଦ୍ରୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଦ୍ଧାର କାର୍ଯ୍ୟ ପାଇଁ ୨୯ ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି ।
