ଆଫ୍ରିକାରେ ଇବୋଲା ଭାଇରସ ପ୍ରକୋପ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବେ ସତର୍କତା ବୃଦ୍ଧି କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଦ୍ୱାରା କଙ୍ଗୋ ଗଣତାନ୍ତ୍ରିକ ଗଣରାଜ୍ୟ ଏବଂ ଉଗାଣ୍ଡାରେ ଇବୋଲା ପ୍ରକୋପକୁ ଏମରଜେନ୍ସି ଅଫ ଇଣ୍ଟରନ୍ୟାସନାଲ କନସର୍ନ ଘୋଷଣା କରିବା ପରେ ମୋଦି ସରକାର ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି।ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ, ଇବୋଲା ପ୍ରଭାବିତ ଦେଶରୁ ଆସୁଥିବା କିମ୍ବା ପରିବହନ କରୁଥିବା ଯାତ୍ରୀମାନେ ସତର୍କ ରହିବା ଉଚିତ। ଡିଆର କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଡାନ ଭଳି ଉଚ୍ଚ ବିପଦପୂର୍ଣ୍ଣ ଦେଶଗୁଡ଼ିକୁ ଯାତ୍ରା କରୁଥିବା ଯାତ୍ରୀମାନେ ଯଦି ଇବୋଲା ସମ୍ବନ୍ଧୀୟ କୌଣସି ଲକ୍ଷଣ ଅନୁଭବ କରନ୍ତି ତେବେ ତୁରନ୍ତ ପଦକ୍ଷେପ ନେବା ଉଚିତ। ତେବେ ଏହାର ଲକ୍ଷଣ ବି ଅତ୍ୟନ୍ତ ସ୍ୱାଭାବିକ।
ଯଦି ଏହି ଦେଶଗୁଡ଼ିକରୁ ଦିଲ୍ଲୀ ବିମାନବନ୍ଦରରେ ଆସୁଥିବା ଯାତ୍ରୀମାନେ ଜ୍ୱର, ଦୁର୍ବଳତା କିମ୍ବା ଥକ୍କାପଣ, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ବାନ୍ତି, ଝାଡ଼ା, ରକ୍ତସ୍ରାବ କିମ୍ବା ଗଳା ଯନ୍ତ୍ରଣା ଭଳି କୌଣସି ଲକ୍ଷଣ ଅନୁଭବ କରନ୍ତି ତେବେ ଅଣଦେଖା କରିବା ଉଚିତ୍ ନୁହେଁ। ଇବୋଲା ରୋଗୀ କିମ୍ବା ସନ୍ଦିଗ୍ଧ ବ୍ୟକ୍ତିଙ୍କ ରକ୍ତ କିମ୍ବା ଶରୀର ତରଳ ପଦାର୍ଥ ସହିତ ସିଧାସଳଖ ସଂସ୍ପର୍ଶରେ ଆସିଥିବା ଯାତ୍ରୀମାନେ ଇମିଗ୍ରେସନ୍ ସ୍କ୍ରିନିଂ କରିବା ପୂର୍ବରୁ ତୁରନ୍ତ ବିମାନବନ୍ଦର ସ୍ୱାସ୍ଥ୍ୟ ଅଧିକାରୀ କିମ୍ବା ସ୍ୱାସ୍ଥ୍ୟ ଡେସ୍କକୁ ଜଣାଇବା ଉଚିତ।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର, ସମନ୍ୱିତ ରୋଗ ପର୍ଯ୍ୟବେକ୍ଷଣ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ପରିସ୍ଥିତି ସମୀକ୍ଷା କରିଛନ୍ତି ଏବଂ ଜନସ୍ୱାସ୍ଥ୍ୟ ପଦକ୍ଷେପଗୁଡ଼ିକୁ ସୁଦୃଢ଼ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ ଭାରତରେ ଏପର୍ଯ୍ୟନ୍ତ ଇବୋଲାର କୌଣସି ମାମଲା ରିପୋର୍ଟ ହୋଇନାହିଁ ଏବଂ ଦେଶ ପ୍ରତି ବର୍ତ୍ତମାନର ବିପଦ ଅତ୍ୟନ୍ତ କମ୍ ରହିଛି । ତଥାପି, ସତର୍କତାମୂଳକ ପଦକ୍ଷେପ ଭାବରେ, ପର୍ଯ୍ୟବେକ୍ଷଣ ଏବଂ ପ୍ରସ୍ତୁତିକୁ ଆହୁରି ସୁଦୃଢ଼ କରାଯାଉଛି।
