ରାଜ୍ୟରେ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟରେ ଚାଲୁଥିବା ସମସ୍ତ ବ୍ୟାଟେରୀ ଚାଳିତ, ମେଥାନଲ୍ ଏବଂ ଇଥାନଲ୍ ଇନ୍ଧନ ଚାଳିତ ପରିବହନ ଯାନ ଗୁଡ଼ିକୁ ପରମିଟ୍ ଫି’ ଛାଡ କରାଯିବ । ଏହି ନିୟମ ଅଧୀନରେ ଯୋଗ୍ୟ ଗାଡ଼ିଗୁଡ଼ିକୁ ପରିବହନ କର୍ତ୍ତୃପକ୍ଷଙ୍କ ଦ୍ୱାରା ବିନା କୌଣସି ପରମିଟ୍ ଦେୟରେ ଉପଯୁକ୍ତ ପରମିଟ୍ ପ୍ରଦାନ କରାଯିବ । ତେବେ ୩୦୦୦ କିଲୋଗ୍ରାମରୁ କମ୍ GVW ଥିବା ମାଲ୍ ପରିବହନ ଗାଡ଼ିଗୁଡ଼ିକ ଏହି ଫି’ ଛାଡ଼ ବ୍ୟବସ୍ଥାରୁ ବାଦ୍ ପଡ଼ିବେ ।
ମୋଟର ଯାନ ଅଧିନିୟମ, ୧୯୮୮ର ନିୟମାବଳୀ ଅନୁଯାୟୀ ଏହି ସମସ୍ତ ଯାନ ପାଇଁ ପରମିଟ୍ ନେବା ବାଧ୍ୟତାମୂଳକ ରହିବ, କିନ୍ତୁ ଏଥିପାଇଁ କୌଣସି ପରମିଟ୍ ଫି’ ଦେବାକୁ ପଡ଼ିବ ନାହିଁ । ଏହା ସହିତ ଗାଡ଼ିଗୁଡ଼ିକର ବୈଧ ପଞ୍ଜୀକରଣ, ବୀମା, ଫିଟନେସ୍ ପ୍ରମାଣପତ୍ର, ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଏବଂ ଅନ୍ୟାନ୍ୟ ସରକାରୀ ଟିକସ ପୈଠ ଭଳି ସମସ୍ତ ପ୍ରଚଳିତ ନିୟମ ପାଳନ କରିବା ସମାନ ଭାବେ ଆବଶ୍ୟକ ।
