ଇଭେଣ୍ଟ ମ୍ୟାନେଜମେଣ୍ଟ ନାଁରେ ଚାଲିଥିଲା ସେକ୍ସ ରାକେଟ୍ । ୭ ଯୁବତୀଙ୍କୁ ଉଦ୍ଧାର କରିବା ସହ ଏହି ରାକେଟ୍ ଚଳାଉଥିବା ୫ ଜଣ ଦଲାଲ୍ଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ୍ । ଦଲାଲଙ୍କ ମଧ୍ୟରେ ଦୁଇ ଭଉଣୀ ଓ ଭାଇ ଥିବା ପୁଲିସ୍ କହିଛି । ତେବେ ଏହି ସେକ୍ସ ରାକେଟ୍ର ମାଷ୍ଟର ମାଇଣ୍ଡ ଜୟା କୁମାରୀ ଓ ସଞ୍ଜୟ ବେହେରା ବୋଲି ପୁଲିସ୍ କହିଛି ।ଗତ କିଛି ମାସ ହେବ ହେବ ଜାଗମରାରେ ଥିବା ଶ୍ରୁତି ହୋଟେଲ୍ରେ ଜୟା କୁମାରୀ ଓ ତାଙ୍କ ପ୍ରେମିକ ସଞ୍ଜୟ ଇଭେଣ୍ଟ ମ୍ୟାନେଜମେଣ୍ଟ ନାଁରେ ବିଭିନ୍ନ ଅଞ୍ଚଳରୁ ନିରୀହ ଯୁବତୀମାନଙ୍କୁ ଚାକିରିର ପ୍ରତିଶ୍ରୁତି ଦେଇ ଭୁବନେଶ୍ୱର ଆଣି ଖରାପ କାର୍ଯ୍ୟରେ ଲଗାଉଥିଲେ । ଜୟାର ଭାଇ ଡାନି, ଭଉଣୀ କ୍ରୀତି ଓ ସହଯୋଗୀ ରାଜେଶ ଏହି ରାକେଟ୍ ଚଳାଉଥିଲେ । ଗ୍ରାହକ ଖୋଜୁଥିଲେ ସଞ୍ଜୟ । ଯୁବତୀଙ୍କୁ ନେଇ ଡେଲିଭରୀ ଦେଉଥିଲେ ରାଜେଶ । ଯେଉଁ ଯୁବତୀଙ୍କୁ ସେମାନେ ଆଣି ଖରାପ କାମରେ ଲଗାଉଥିଲେ ସେମାନଙ୍କୁ ବାହାରକୁ ଛାଡୁ ନଥିଲେ । ୧୦ରୁ ଅଧିକ ଯୁବତୀଙ୍କୁ ରଖି ସେକ୍ସ ରାକେଟ୍ ଚଳାଉଥିଲେ । । ସବୁଠାରୁ ବଡ଼ କଥା ହେଲା ଉକ୍ତ ଯୁବତୀଙ୍କୁ ଜୟା ପ୍ରେମିକ ସଞ୍ଜୟ ଓ ଭାଇ ଡାନି ଦୁଷ୍କର୍ମ କରିଥିଲେ । ଯୁବତୀମାନଙ୍କୁ ସବୁ ବେଳେ ତାଲା ପକାଇ ରଖୁଥିଲେ ।ତେବେ ବୁଧବାର ବାଲେଶ୍ୱରର ଯୁବତୀ ସେଠାରୁ ଖସି ପଳାଇ ଆସିଥିଲେ । ତାଙ୍କ ସହ ଓ ଅନ୍ୟ ଯୁବତୀଙ୍କ ପ୍ରତି ଘଟିଥିବା ଅକଥନୀୟ ନିର୍ଯାତନା ବିଷୟରେ ଖଣ୍ଡଗିରି ଥାନା ପୁଲିସ୍କୁ ଜଣାଇଥିଲେ । ପୁଲିସ୍ ସେଠାରେ ଚଢ଼ଉ କରି ସଞ୍ଜୟ, ଜୟା, ଡାନି, କ୍ରୀତି ଓ ରାଜେଶକୁ ଅଟକ ରଖିଛି । ଚଢ଼ଉ ବେଳେ ସେଠାରେ ଆଉ ୬ ଜଣ ଯୁବତୀ ଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇଛି ।
