ପୁଣି ଥରେ ବୋମା ପକାଇବ କି ଆମେରିକା? ଇରାନର ‘ଶାନ୍ତି ଯୋଜନା’କୁ ପ୍ରତ୍ୟାଖ୍ୟାନ କଲେ ଟ୍ରମ୍ପ। ଇରାନ ହର୍ମୁଜ୍ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ କତାର ମାଧ୍ୟମରେ ଆମେରିକାକୁ ପ୍ରସ୍ତାବ ପଠାଇଥିଲା। ଏଥିପାଇଁ ଇରାନ ତିନୋଟି ସର୍ତ୍ତ ରଖିଥିଲା। ଇରାନ କହିଛି ଯେ ଏହି ସର୍ତ୍ତଗୁଡ଼ିକ ପୂରଣ ହେବା ପରେ, ହର୍ମୁଜ୍ ପ୍ରଣାଳୀ ସାତ ଦିନ ମଧ୍ୟରେ ଖୋଲାଯିବ। ଏହା ପରେ ମଧ୍ୟ ଟ୍ରମ୍ପ ଆଉ ଏକ କାରନାମା କରିଛନ୍ତି। ସେ ଷ୍ଟ୍ରେଟ୍ ଅଫ୍ ହର୍ମୁଜର ପୁନଃ ନାମକରଣ କରାଯାଇଥିବା ଏକ ମ୍ୟାପ୍ ଶେୟାର କରିଛନ୍ତି। ଯେଉଁଥିରେ ହର୍ମୁଜ ବଦଳରେ ତାଙ୍କ ନାଁ ଟ୍ରମ୍ପ ଷ୍ଟ୍ରେଟ୍ ଲେଖାଯାଇଛି। ଶୁକ୍ରବାର ନିଜ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋଶାଲ୍ରେ ଏହି ମାନଚିତ୍ର ପୋଷ୍ଟ କରିଛନ୍ତି ଆମେରିକା ରାଷ୍ଟ୍ରପତି। ଯଦିଓ ବିଶ୍ୱ ସ୍ତରରରେ ଟ୍ରମ୍ପଙ୍କ ଆଚରଣ ଧୀରେ ଧୀରେ ଗୁରୁତ୍ୱ ହରାଉଛି, ତଥାପି ହର୍ମୁଜକୁ ନିଜ ନାଁରେ ନାମିତ କରିବା ଇରାନ ପାଇଁ ଟେନସନର କାରଣ ହୋଇପାରେ।ରିପୋର୍ଟ ଅନୁସାରେ, ନଭେମ୍ବରରେ ହେବାକୁ ଥିବା କଂଗ୍ରେସ ନିର୍ବାଚନ ପରେ ଆମେରିକା ପୁଣି ଇରାନ ଉପରେ ବୋମା ବର୍ଷଣ ଆରମ୍ଭ କରିପାରେ ବୋଲି ଟ୍ରମ୍ପ ତାଙ୍କ ସହଯୋଗୀମାନଙ୍କୁ କହିଛନ୍ତି। ତେବେ ଏହି ସମୟରେ ଆମେରିକା ଓ ଇରାନ ମଧ୍ୟରେ ମଧ୍ୟସ୍ଥିଙ୍କ ଜରିଆରେ ଆଲୋଚନା ଜାରି ରହିବ ବୋଲି ଜଣେ ଆମେରିକୀୟ ଅଧିକାରୀ ରଏଟର୍ସକୁ ସୂଚନା ଦେଇଛନ୍ତି।
