ପଶ୍ଚିମ ଓଡ଼ିଶାରେ ବଡ଼ ହସ୍ପିଟାଲ ପ୍ରତିଷ୍ଠା କରିବ ବେଦାନ୍ତ ଗ୍ରୁପ୍ । ୧୦୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରସ୍ତାବ ଦେଇଛନ୍ତି ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ । ଏହା ସହ ଢେଙ୍କାନାଳରେ ୩ ମିଲିୟନ୍ ଟନ୍ କ୍ଷମତାର ସ୍ମେଲଟର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ମଧ୍ୟ ବେଦାନ୍ତ ଯୋଜନା କରିଛି । ଏଥିପାଇଁ ୫୦୦ ଏକର ଜମି ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି ।ଓଡ଼ିଶା ସହ ବେଦାନ୍ତର ସମ୍ପର୍କ ଦୀର୍ଘଦିନର ବୋଲି ଉଲ୍ଲେଖ କରି ଅଗ୍ରୱାଲ କହିଛନ୍ତି ଯେ, ରାଜ୍ୟରେ ଶିଳ୍ପ ବିକାଶର ବିପୁଳ ସମ୍ଭାବନା ରହିଛି। କଳାହାଣ୍ଡିରେ ବେଦାନ୍ତର ଆଲୁମିନିୟମ୍ ଶିଳ୍ପ ପ୍ରତିଷ୍ଠା ସହଜ ନଥିଲା । ବିଭିନ୍ନ ସ୍ତରରେ ବିରୋଧ ସତ୍ତ୍ୱେ ଏଠାରେ ଏକ ବୃହତ୍ ଆଲୁମିନିୟମ୍ ଶିଳ୍ପ ଗଢ଼ିଉଠିଥିବା ସେ କହିଛନ୍ତି। ଓଡ଼ିଶାର ଶିଳ୍ପ ବିକାଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସହଯୋଗକୁ ମଧ୍ୟ ସେ ମନେ ପକାଇଥିଲେ । ଆଗାମୀ ଦିନରେ ଓଡ଼ିଶାରେ ବେଦାନ୍ତର କାର୍ଯ୍ୟକଳାପକୁ ଆହୁରି ବ୍ୟାପକ କରିବା ନେଇ ସେ ଆଶାବାଦୀ ଥିବା କହିଛନ୍ତି।ପାୱାର, ରିଫାଇନାରୀ ଓ ସ୍ମେଲଟର କ୍ଷେତ୍ରରେ ଓଡ଼ିଶାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ନିବେଶ ଯୋଜନା ରହିଛି । ଏଥିରୁ ସ୍ମେଲଟର କ୍ଷେତ୍ରରେ ୪୦ ପ୍ରତିଶତ ଏବଂ ପାୱାର ଓ ରିଫାଇନାରୀ କ୍ଷେତ୍ରରେ ୩୦ ପ୍ରତିଶତ ଲେଖାଏଁ ନିବେଶ କରାଯିବ ବୋଲି ଅନିଲ ଅଗ୍ରୱାଲ ସୂଚନା ଦେଇଛନ୍ତି ।
