ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଉଥିବା ପରି ମନେ ହେଉଛି।ଗୋଟିଏ ପଟେ, ଆମେରିକା ସମାଧାନ ପାଇଁ ଚାପ ପ୍ରୟୋଗ କରୁଛି; ଅନ୍ୟପଟେ, ଇରାନ କ୍ଷତିପୂରଣ ଏବଂ ପ୍ରତିବନ୍ଧକ ଉଠାଇବା ପାଇଁ ତା’ର ଦାବିରେ ଅଟଳ ରହିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବ ପ୍ରତି ତେହରାନର ପ୍ରତିକ୍ରିୟାକୁ ଆମେରିକା ପ୍ରତ୍ୟାଖ୍ୟାନ କରିବା ଫଳରେ ଅଶୋଧିତ ତୈଳ ଦର ୪ ପ୍ରତିଶତ ବୃଦ୍ଧି ପାଇଛି । ଫଳରେ ଆଗାମୀ ଦିନରେ ବିଶ୍ବ ବଜାର ଉପରେ ଏହାର ପ୍ରଭାବ ପଡ଼ିବା ଆଶଙ୍କା କରାଯାଉଛି । ଏପଟେ ବିଭିନ୍ନ ତୈଳ କମ୍ପାନି ଦୈନିକ ୧୬ ଶହରୁ ୧୭ ଶହ କୋଟି ଟଙ୍କାର କ୍ଷତି ସହୁଛନ୍ତି । ଗତ ୧୦ ସପ୍ତାହ ମଧ୍ୟରେ ମୋଟ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି ହେଲାଣି । ଫଳରେ ଆଗକୁ ତୈଳ ଦର ବଢ଼ିବା ନେଇ ଆଶଙ୍କା ଘନୀଭୂତ ହୋଇଛି । ଏପଟେ ହର୍ମୁଜ୍ ପ୍ରଣାଳୀରେ ମଧ୍ୟ ଅଚଳାବସ୍ଥା ଲାଗି ରହିଛି । ହର୍ମୁଜ ପ୍ରଣାଳୀରେ ଏବେ ୨୦ ହଜାରରୁ ଅଧିକ ଭାରତୀୟ ନାବିକ ଫସି ରହିଛନ୍ତି ।
