ଇସ୍ତଫା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

NEET ପ୍ରଶ୍ନପତ୍ର ଲିକ୍ ଓ ଆନ୍ଦୋଳନ ଭିତରେ ଇସ୍ତଫା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିରୋଧୀ ଦଳ, ଛାତ୍ର ସଂଗଠନ ଓ ସିଜେପିର କ୍ରମାଗତ ବିକ୍ଷୋଭ ଓ ଚାପ ଆଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି । ସୋସିଆଲ ମିଡିଆ ଜରିଆରେ ସେ ଏହି ସୂଚନା ଦେବା ସହ ଇସ୍ତଫାର କାରଣ ମଧ୍ୟ ଦର୍ଶାଇଛନ୍ତି।ଧର୍ମେନ୍ଦ୍ର ପ୍ରଧାନ ନିଜ ଚିଠିରେ ଲେଖିଛନ୍ତି ଯେ, ବିଗତ ଚାରି ଦଶନ୍ଧି ଧରି ସେ ଶିକ୍ଷା ସଂସ୍କାର ପାଇଁ ସମର୍ପିତ ରହିଛନ୍ତି । ୩ ମେ’ ୨୦୨୬ରେ ଅନୁଷ୍ଠିତ NEET ପରୀକ୍ଷାରେ ଅନିୟମିତତା ଅଭିଯୋଗ ଆସିବା ପରେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ମାମଲାର ତଦନ୍ତ ସିବିଆଇକୁ ଦିଆଯିବା ସହ ୨୧ ଜୁନରେ ପୁନଃ ପରୀକ୍ଷା କରାଯାଇଥିଲା । କିନ୍ତୁ କିଛି ଲୋକ ନିଜର ରାଜନୈତିକ ସ୍ୱାର୍ଥ ପାଇଁ ଛାତ୍ରଛାତ୍ରୀଙ୍କୁ ବିଭ୍ରାନ୍ତ କରିବା ତାଙ୍କୁ ଗଭୀର ଦୁଃଖ ଦେଇଛି।ସେ ସ୍ପଷ୍ଟ କରିଛନ୍ତି ଯେ, ସେ ଚାହାଁନ୍ତି ନାହିଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଆଇନଗତ ବିବାଦ କିମ୍ବା ରାଜନୈତିକ ଟଣାଓଟରା ମଧ୍ୟରେ ଫସି ରହୁ । ଏହି ଭାବନା ରଖି ସେ ପଦ ତ୍ୟାଗ କରିଛନ୍ତି। ଅନ୍ୟପଟେ ଶାସକ ଦଳର ବରିଷ୍ଠ ନେତାମାନେ ସ୍ପଷ୍ଟ କରିଛନ୍ତି ଯେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ସଂସ୍କାର ଓ ସ୍ୱଚ୍ଛ ପରୀକ୍ଷା ପରିଚାଳନା ପାଇଁ ସରକାର ଦୃଢ଼ପ୍ରତିଜ୍ଞ । ଖୁବଶୀଘ୍ର ଶିକ୍ଷା ମନ୍ତ୍ରାଳୟର ଅନ୍ତରୀଣ ଦାୟିତ୍ୱ ଅନ୍ୟ କାହାକୁ ନ୍ଯସ୍ତ କରାଯିବା ସହ ପରୀକ୍ଷା ଅନିୟମିତତାର ତଦନ୍ତ ପାଇଁ ଏକ ସ୍ୱାଧୀନ ନ୍ୟାୟିକ କମିଟି ଗଠନ କରାଯିବାର ସମ୍ଭାବନା ରହିଛି ।

ଅଧିକ ପଢନ୍ତୁ