ଭାରତରେ ପଳାତକ ଘୋଷିତ ହୋଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟା ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ନିଜ ଉପରେ ଲାଗିଥିବା ‘ପଳାତକ’ ଟ୍ୟାଗକୁ ନେଇ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକାଧିକ ପୋଷ୍ଟ କରିଛନ୍ତି । ଏଥିରେ ସେ କେବଳ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିନାହାଁନ୍ତି, ବରଂ ଭାରତୀୟ ତଦନ୍ତକାରୀ ଏଜେନ୍ସିମାନଙ୍କ କାର୍ଯ୍ୟାନୁଷ୍ଠାନକୁ ମଧ୍ୟ କାଠଗଡ଼ାରେ ଠିଆ କରିଛନ୍ତି ।ବିଜୟ ମାଲ୍ୟା ବମ୍ବେ ହାଇକୋର୍ଟରେ ଇଡି ଦ୍ୱାରା ଦାଖଲ ହୋଇଥିବା ଏକ ଆଫିଡେଭିଟ୍ର ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ, କୋର୍ଟରେ ତାଙ୍କ ମୁଣ୍ଡରେ ୬,୨୦୩ କୋଟି ଟଙ୍କାର ଋଣ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ, ଇଡିର ନିଜସ୍ୱ ଆଫିଡେଭିଟ୍ ଅନୁସାରେ, ୨୦୨୧ ମସିହା ସୁଦ୍ଧା ତାଙ୍କଠାରୁ ୧୪,୧୩୧.୬୦ କୋଟି ଟଙ୍କା ଆଦାୟ କରାଯାଇସାରିଛି । ମାଲ୍ୟା ପ୍ରଶ୍ନ କରିଛନ୍ତି ଯେ, ଋଣଠାରୁ ଅଧିକ ଅର୍ଥ ପୈଠ ହେବାର ୫ ବର୍ଷ ପରେ ବି ତାଙ୍କୁ ଗଣମାଧ୍ୟମରେ କାହିଁକି ଠକ ବୋଲି କୁହାଯାଉଛି ? କିଙ୍ଗଫିସର ଏୟାରଲାଇନ୍ସର କର୍ମଚାରୀମାନଙ୍କ ପ୍ରସଙ୍ଗ ଉଠାଇ ସେ ଦାବି କରିଛନ୍ତି ଯେ ଇଡି ଜବତ କରିଥିବା ତାଙ୍କ ସମ୍ପତ୍ତିରୁ ହିଁ ୩୫୦ କୋଟି ଟଙ୍କା କର୍ମଚାରୀମାନଙ୍କୁ ବଣ୍ଟାଯାଇଥିଲା । ତାଙ୍କ ଯୁକ୍ତି ହେଲା, ଯେତେବେଳେ ବ୍ୟାଙ୍କଗୁଡ଼ିକ ତାଙ୍କ ଋଣଠାରୁ ଅଧିକ ଟଙ୍କା ଆଦାୟ କରିସାରିଛନ୍ତି, ତେବେ ତାଙ୍କର ବଳକା ଟଙ୍କା ତାଙ୍କୁ କେବେ ଫେରସ୍ତ ମିଳିବ ? ଅକ୍ଟୋବର ୨୦୨୫ରେ, ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଲୋକସଭାରେ ସୂଚନା ଦେଇଥିଲେ ଯେ, ପଳାତକ ଅର୍ଥନୈତିକ ଅପରାଧୀ ଆଇନ ୨୦୧୮ ଅନୁଯାୟୀ ୧୫ ଜଣଙ୍କୁ ପଳାତକ ଅର୍ଥନୈତିକ ଅପରାଧୀ ଘୋଷଣା କରାଯାଇଛି। ଏହି ତାଲିକାରେ ବିଜୟ ମାଲ୍ୟା ଏବଂ ନୀରବ ମୋଦୀ ସମେତ ଅନେକ ଜଣାଶୁଣା ବ୍ୟକ୍ତିଙ୍କ ନାମ ରହିଛି।
ଏହି କାରଣରୁ ମାଲ୍ୟାଙ୍କୁ ଭାରତରେ ଜଣେ ପଳାତକ ଅର୍ଥନୈତିକ ଅପରାଧୀ ଭାବରେ ବିବେଚନା କରାଯାଏ। ତେବେ ମାଲ୍ୟା ଏବେ ଏହି ଆଖ୍ୟା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ୟୁକେରେ ତାଙ୍କର ରହିବା ଭାରତରୁ ପଳାଇବା ପାଇଁ ଚେଷ୍ଟା ନୁହେଁ, ବରଂ ତାଙ୍କ ବିରୋଧରେ ଚାଲିଥିବା ଆଇନଗତ ପରିସ୍ଥିତିର ପରିଣାମ।
ମାଲ୍ୟାଙ୍କ ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗରେ ଭାରତ ସରକାରଙ୍କ ମତ ସର୍ବଦା ସ୍ପଷ୍ଟ ରହିଛି।
