ଲାଇନ କଟିଲେ ଡାକ୍ତରଖାନା ଅନ୍ଧାର। ମୋବାଇଲ ଟର୍ଚ୍ଚରେ ହେଉଛି ରୋଗୀସେବା l ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଡାକ୍ତରଖାନାରୁ ଆସିଛି ଏଭଳି ଅଭିଯୋଗ।ଜାତୀୟ ରାଜପଥ ୩୧୬ ପାର୍ଶ୍ବରେ ଥିବା ସାକ୍ଷୀଗୋପାଳ ଡାକ୍ତରଖାନାରେ ବିଦ୍ୟୁତ ବିଭ୍ରାଟ ଯୋଗୁଁ ବାଧାପ୍ରାପ୍ତ ହୋଇଛି ରୋଗୀସେବା । ସନ୍ଧ୍ୟାରେ ବିଦ୍ୟୁତ ସରବରାହ ବନ୍ଦ ହୋଇଯିବାରୁ ଡ୍ରେସିଂ ରୁମ, ମେଲ୍ ୱାର୍ଡ ଓ ଡାଇରିଆ ୱାର୍ଡ ପ୍ରାୟ ଏକ ଘଣ୍ଟା ଧରି ଅନ୍ଧାରରେ ରହିଥିଲା l ଫଳରେ ଡାକ୍ତରମାନେ ମୋବାଇଲ ଟର୍ଚ୍ଚରେ ରୋଗୀଙ୍କୁ ଚିକିତ୍ସା କରିଥିଲେ । ଡାକ୍ତରଖାନାରେ ଡିଜିଟାଲ ଜେନେରେଟର ଥିଲେ ମଧ୍ୟ ଏହା ଚଳାଇବା ପାଇଁ ନିୟମିତ କର୍ମଚାରୀ ନଥିବାରୁ ବିଦ୍ୟୁତ ଆସିବା ପର୍ଯ୍ୟନ୍ତ ଅନ୍ଧାରରେ ରହିବାକୁ ପଡ଼ିଥିଲା ।
ତେବେ ପ୍ରସୂତୀ ଓ ମହିଳା ୱାର୍ଡରେ ଇନଭର୍ଟର ସଂଯୋଗ ଥିବାରୁ ସେଠାରେ ବିଦ୍ୟୁତ ବିଭ୍ରାଟର ପ୍ରଭାବ ପଡ଼ିନଥିଲା । ଏହା ପୂର୍ବରୁ ମଧ୍ୟ ଡାକ୍ତରଖାନାରେ ସର୍ଟସର୍କିଟ ଯୋଗୁଁ ସେବିକା କକ୍ଷ ସମ୍ମୁଖରେ ଲାଇଟ୍ ଜଳୁନଥିବା ଅଭିଯୋଗ ହୋଇଛି । ତେବେ ତୁରନ୍ତ ଏହାର ସମାଧାନ କରାଯିବ ବୋଲି କହିଛନ୍ତି ମେଡିକାଲ କର୍ତ୍ତୃପକ୍ଷ।
