ଧର୍ମ ଏବଂ ଆଧ୍ୟାତ୍ମିକତାର ନଗରୀ ଉଜ୍ଜୟିନୀରେ ସିଂହସ୍ଥ ୨୦୨୮ ମସିହାର ପ୍ରସ୍ତୁତି ପାଇଁ ଚାଲିଥିବା ରାସ୍ତା ପ୍ରଶସ୍ତୀକରଣ ଅଭିଯାନ ମଧ୍ୟରେ ଏକ ଅନନ୍ୟ ଏବଂ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି । ଫେଲ ମାରିଲେ ଇଂଜିନିୟର୍ସ । କାମ କଲାନି ବଡ଼ ବଡ଼ ଜେବିସି ଓ କ୍ରେନ୍ । ନିଜ ସ୍ଥାନରୁ ହଟିଲେନି ମହାବୀର । ଉଜ୍ଜୟିନୀର କଂଠାଲ ଚୌରାହ-ଛତ୍ରୀ ଛକ ରୋଡ୍ରେ ଖଡ଼େ ହନୁମାନ ମନ୍ଦିର ଦଣ୍ଡାୟମାନ । ସେଠାରେ ଏବେ ରାସ୍ତା-ପ୍ରଶସ୍ତୀକରଣ କାର୍ଯ୍ୟ ଚାଲିଛି । ସ୍ଥାନୀୟ ଲୋକଙ୍କ ଦାବି ଯେ ମନ୍ଦିର ପ୍ରାୟ ୧୭୦ ବର୍ଷ ପୁରୁଣା ।ଉଜ୍ଜୟିନୀର ପ୍ରମୁଖ ପର୍ବ ସିଂହସ୍ଥ୨୦୨୮ର ପ୍ରସ୍ତୁତି ଲାଗି ରାସ୍ତା ଚଉଡ଼ା କରାଯାଉଛି । ପ୍ରତି ୧୨ ବର୍ଷରେ ଥରେ ପଡୁଥିବା ଏହି ପର୍ବରେ ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ଆଗମନ ହୁଏ । ଏହା ୪ କୁମ୍ଭ ମେଳା ମଧ୍ୟରେ ଅନ୍ୟତମ, ଯେଉଁଥିରେ ସିପ୍ରା ନଦୀରେ ପବିତ୍ର ବୁଡ଼ ପକାଇବାକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଉଜ୍ଜୟିନୀକୁ ଆସନ୍ତି । ଏହି ପର୍ବ ମୁଖ୍ୟତଃ ଶିବ ଭଗବାନ ଓ ଉଜ୍ଜୟିନୀରେ ମନ୍ଦିରମାନଙ୍କର ପୂଜାର୍ଚ୍ଚନା ସହ ଜଡ଼ିତ । ଏହାକୁ ଦୃଷ୍ଟିରେ ରଖି ଉଜ୍ଜୟିନୀ ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନ ଖଡ଼େ ହନୁମାନଙ୍କ ମୂର୍ତ୍ତିକୁ ସୁରକ୍ଷିତ ଭାବେ ଟାଙ୍କି ଛକ ନିକଟସ୍ଥ ଏକ ନୂଆ ସ୍ଥାନକୁ ନେବାର ଯୋଜନା କରିଥିଲେ ।ମୂର୍ତ୍ତି ଚତୁଃପାର୍ଶ୍ର ଅଧିକାଂଶ ମନ୍ଦିର ଢାଞ୍ଚା ଭଙ୍ଗା ସରିଥିବା ବେଳେ ଖଡ଼େ ହନୁମାନ ମୂର୍ତ୍ତି ନିଜର ମୂଳ ସ୍ଥାନରେ ରହିଛନ୍ତି । ଅଧିକାରୀ ଓ କର୍ମଚାରୀମାନେ ଭାରୀ ମେସିନ୍ ସାହାଯ୍ୟରେ ମୂର୍ତ୍ତିକୁ ସ୍ଥାନାନ୍ତର କରିବାକୁ ଅନେକ ପ୍ରୟାସ କଲେ, କିନ୍ତୁ ସଫଳ ହୋଇପାରିଲେ ନାହିଁ । ଗତ କିଛି ଦିନ ହେଲା ୪ ଥର ପ୍ରୟାସ କରିଛନ୍ତି, କିନ୍ତୁ କିଛି ଲାଭ ହୋଇନାହିଁ । ମୂର୍ତ୍ତିକୁ କିପରି ସୁରକ୍ଷିତ ସ୍ଥାନାନ୍ତର କରାଯିବ, ତା’ର ନିଷ୍ପତ୍ତି ପୂର୍ବରୁ କର୍ତ୍ତୃପକ୍ଷମାନେ ଏବେ ମୂର୍ତ୍ତିର ଆଧାର ଓ ଚତୁଃପାର୍ଶ୍ୱ ଢାଞ୍ଚାକୁ ଯାଞ୍ଚ କରୁଛନ୍ତି ।ଉଦ୍ଧାର କାର୍ଯ୍ୟ ସମୟରେ ପ୍ରଥମ ଦିନ ସର୍ଟ ସର୍କିଟ୍ ହୋଇ ନିଆଁ ଲାଗିଯାଇଥିଲା ଏବଂ ଦ୍ୱିତୀୟ ଦିନ ପ୍ରବଳ ବର୍ଷା ହେବା ଫଳରେ କାମ ବନ୍ଦ ରଖିବାକୁ ପଡ଼ିଥିଲା । ପ୍ରତ୍ନତତ୍ତ୍ୱ ବିଭାଗ ଚେତାବନୀ ଦେଇଛି ଯେ ଅଧିକ ବଳ ପ୍ରୟୋଗ କଲେ ଏହି ପ୍ରାଚୀନ ପଥର ମୂର୍ତ୍ତିରେ ଫାଟ ସୃଷ୍ଟି ହୋଇପାରେ କିମ୍ବା ଏହା ଭାଙ୍ଗିଯାଇପାରେ । ପ୍ରଶାସନ ବର୍ତ୍ତମାନ ଏହି ପ୍ରକ୍ରିୟାକୁ ସ୍ଥଗିତ ରଖିଛି ।
ସେପଟେ ମୂର୍ତ୍ତି ଉପରେ ଏକ ଅସ୍ଥାୟୀ ଚାଳିଆ କରାଯାଇଛି ଏବଂ ଆଗକୁ ବଢ଼ିବା ପୂର୍ବରୁ ମୂର୍ତ୍ତିର ମୂଳଦୁଆକୁ ଆଧୁନିକ ବୈଷୟିକ ସ୍କାନିଂ କରିବାକୁ ଯୋଜନା ଚାଲିଛି । ସ୍ଥାନୀୟ ଶ୍ରଦ୍ଧାଳୁ, ପୂଜକ ଏବଂ ହିନ୍ଦୁ ସଂଗଠନଗୁଡ଼ିକ ଏହାକୁ ଏକ ଅଲୌକିକ ଶକ୍ତି ବୋଲି ଭାବୁଛନ୍ତି । ବାବା ହନୁମାନ ନିଜ ସ୍ଥାନରୁ ଘୁଞ୍ଚିବାକୁ ଚାହୁଁନାହାନ୍ତି ବୋଲି ସେମାନଙ୍କର ବିଶ୍ୱାସ ରହିଛି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଚର୍ଚ୍ଚା ଆହୁରି ବଢ଼ିଯାଇଛି । ମନ୍ଦିର ଭଙ୍ଗାଯିବା ସମୟରେ ସେଠାରେ ବହୁ ସଂଖ୍ୟାରେ ମାଙ୍କଡ଼ ବା ବାନର ସେନା ରୁଣ୍ଡ ହୋଇଥିଲେ ବୋଲି ଦେଖିବାକୁ ମିଳିଛି ।
