ଏଥାନଲ୍ ମିଶ୍ରିତ ପେଟ୍ରୋଲ ପସନ୍ଦ ନୁହେଁ ତ ଅଧିକ ଟଙ୍କା ଦିଅ: ନିତିନ ଗଡ଼କରୀ

ଏଥାନଲ ମିଶ୍ରିତ ପେଟ୍ରୋଲ (E୨୦) କୁ ନେଇ ଚାଲିଥିବା ବିବାଦ ଓ ଆଶଙ୍କା ଉପରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ମୁଁ ପ୍ରଥମରୁ ବିକଳ୍ପ ଇନ୍ଧନର ସମର୍ଥକ। କେବଳ ଇଥାନଲ ନୁହେଁ ମୁଁ ହାଇଡ୍ରୋଜନ ଓ ଇଲେକ୍ଟ୍ରିକ୍ ବାହନ ସହିତ ଅନ୍ୟ ସବୁ ପ୍ରକାରର ବିକଳ୍ପ ଇନ୍ଧନକୁ ପ୍ରୋତ୍ସାହନ ଦେଇ ଆସୁଛି। ସେହିପରି ନିଜ ପୁଅମାନଙ୍କ ବ୍ୟବସାୟ ଉପରେ ମଧ୍ୟ ସେ ଖୋଲାଖୋଲି ଭାବେ କହିଛନ୍ତି। ପୁଅମାନଙ୍କ ବିଜନେସ୍ ରେ ଇଥାନଲର ଭୂମିକା ନଗଣ୍ୟ। ସେମାନଙ୍କ ଆୟ ଉପରେ ଏହାର ସେପରି କୌଣସି ଖାସ ପ୍ରଭାବ ନାହିଁ। ଗଡ଼କରି କହିଛନ୍ତି ଯେ ଏହି ବିଜନେସ୍ ରେ ସେମାନଙ୍କ ଉପରେ ୧,୬୦୦ କୋଟି ଟଙ୍କାର ଋଣ ମଧ୍ୟ ରହିଛି। ଏକ ଇଂରାଜୀ ସମ୍ବାଦପତ୍ର ସହ ସାକ୍ଷାତକାରରେ ଗଡ଼କରୀ କହିଛନ୍ତି ଯେ ମୋ ପରିବାରର ଚିନି ମିଲ୍ ଅଛି। ସେହି କାରବାର ମୋ ପୁଅମାନେ ବୁଝାସୁଝା କରନ୍ତି। ତେବେ ଇଥାନଲ ବ୍ଲେଣ୍ଡିଂ ପ୍ରୋଗ୍ରାମ ପେଟ୍ରୋଲିୟମ ମନ୍ତ୍ରାଳୟ ଚଳାଉଛନ୍ତି। ଏଣୁ ଏଥିରେ ମୋର କୌଣସି ଭୂମିକା ନାହିଁ।ଟାଇମ୍ସ ଅଫ ଇଣ୍ଡିଆ (TOI) କୁ ଦେଇଥିବା ଇଣ୍ଟରଭ୍ୟୁରେ ଗଡ଼କରୀ କହିଛନ୍ତି ଯେ, ସାରା ଦେଶରେ ୨୦% ଏଥାନଲ ବ୍ଲେଣ୍ଡିଂ (E୨୦) ଲକ୍ଷ୍ୟ ସଫଳତାର ସହ ହାସଲ ହୋଇସାରିଛି। ତେଣୁ ପେଟ୍ରୋଲ ପମ୍ପଗୁଡ଼ିକରେ ପୁଣିଥରେ E୧୦ (୧୦% ଏଥାନଲ ମିଶ୍ରଣ) ବିକଳ୍ପ ଦେଇ ପଛକୁ ହଟିବା ସମ୍ଭବ ନୁହେଁ। ଭବିଷ୍ୟତରେ ପେଟ୍ରୋଲ ପମ୍ପରେ ଅଲଗା ଅଲଗା ଏଥାନଲ ବ୍ଲେଣ୍ଡ ପାଇଁ ଏକାଧିକ ନୋଜଲ ରହିବ କି ନାହିଁ, ସେ ନିଷ୍ପତ୍ତି ପେଟ୍ରୋଲିୟମ ମନ୍ତ୍ରାଳୟ ନେବ।

ଇଞ୍ଜିନରେ କଳଙ୍କି ଲାଗିବା ବା ଖରାପ ହେବା ଖବରକୁ ମିଛ ଦର୍ଶାଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, “E୧୦ ଅନୁକୂଳ ଥିବା ସବୁ ଗାଡ଼ି E୨୦ ଇନ୍ଧନରେ ମଧ୍ୟ ସୁରକ୍ଷିତ ଭାବେ ଚାଲିପାରିବ। ମାରୁତି ସୁଜୁକି ଭଳି ବଡ଼ କମ୍ପାନୀଗୁଡ଼ିକ ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି। ଆଜି ପର୍ଯ୍ୟନ୍ତ ସରକାରଙ୍କ ପାଖରେ ଇଞ୍ଜିନ ଖରାପ ହେବାର ଗୋଟିଏ ହେଲେ ଆଧିକାରିକ ଅଭିଯୋଗ ଆସିନାହିଁ।”ତେବେ ୧୦୦% ଶୁଦ୍ଧ ପେଟ୍ରୋଲ ଉପଲବ୍ଧ କରାଇବା ପ୍ରସଙ୍ଗରେ ଗଡ଼କରୀ କହିଛନ୍ତି ଯେ ଏଥି ପାଇଁ ଅଧିକ ପଇସା ପୈଠ କରିବାକୁ ପଡିବ। ଗଡ଼କରୀ କହିଛନ୍ତି ଯେ ଇ-୮୫ର ମୂଲ୍ୟ ଇ-୨୦ଠାରୁ ମଧ୍ୟ କମ୍। ସେ କହିଛନ୍ତି ପଶ୍ଚିମ ଏସିୟ ଦେଶ ଓ ଆମେରିକାରେ ପ୍ରଚୁର ଇନ୍ଧନ ଅଛି। ହେଲେ ଇଣ୍ଡୋନେସିଆ ଓ ଥାଇଲ୍ୟାଣ୍ଡ ଏବେ ବାୟୋଫୁଏଲ ଆଡକୁ ପାଦ ବଢାଉଛନ୍ତି। ଏଥିରେ ଆମେ ଯଦି କିଛି ଅଗ୍ରୀମ ପଦକ୍ଷେପ ନେଉଛେ ଏଥି ପାଇଁ ଏତେ ବିରୋଧ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।

ଅଧିକ ପଢନ୍ତୁ