
ନୟାଗଡ଼,(ଓଡ଼ିଶା ଦର୍ପଣ): ନିକଟରେ ରାଜ୍ୟ ସରକାର ବରିଷ୍ଠ ମାଧ୍ୟମିକ ଶିକ୍ଷକ ମାନଙ୍କୁ ପଦୋନ୍ନତି ଦେଇ ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ଫଳରେ ରାଜ୍ୟର ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ଖାଲି ପଡ଼ିଥିବା ପ୍ରଧାନ ଶିକ୍ଷକ ପଦବୀ ଗୁଡିକ ପୂରଣ ହୋଇ ପାରିଛି। ଏହି କ୍ରମରେ ନୟାଗଡ଼ ଏନଏସି ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ଆଦର୍ଶ ଶିକ୍ଷକ ସୁରେନ୍ଦ୍ର କୁମାର ଖଣ୍ଡା ଆଜି ଯୋଗଦାନ କରିଛନ୍ତି। ଫଳରେ ଦୀର୍ଘ ଦୁଇବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବିଦ୍ୟାଳୟରେ ଖାଲି ପଡ଼ିଥିବା ପ୍ରଧାନ ଶିକ୍ଷକ ପଦ ପୂରଣ ହୋଇପାରିଛି।

ବିଦ୍ୟାଳୟ ପକ୍ଷରୁ ଶିକ୍ଷକ ଓ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ରଥ, ଭବାନୀ କୁମାରୀ ଆଚାର୍ଯ୍ୟ, ସୁନିତା ନାୟକ, ସୌଦାମିନୀ ପ୍ରଧାନ, ରୋଜାଲିନ ମିଶ୍ର,ଉମାକାନ୍ତ ମିଶ୍ର,ଲକ୍ଷ୍ମୀଧର ସାହୁ, କାଦମ୍ବିନୀ କରଣ,ଅଶୋକ କୁମାର ମିଶ୍ର,ସ୍ମିତା ମଲ୍ଲିକ ପ୍ରମୁଖ ପ୍ରଧାନ ଶିକ୍ଷକଙ୍କୁ ଫୁଲ ତୋଡ଼ା ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ପୁରାତନ ଛାତ୍ର ସଂଘ ପକ୍ଷରୁ ଅବସରପ୍ରାପ୍ତ ଶିକ୍ଷକ ପ୍ରଦୀପ୍ତ କୁମାର ଡାକୁଆ ଏବଂ କୈଳାସ ଚନ୍ଦ୍ର ରଥ ଉପସ୍ଥିତ ରହି ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଆଶା ପ୍ରକଟ କରିଥିଲେ। ଏଥିରେ କାର୍ଯ୍ୟାଳୟ ସହକାରୀ ମଞ୍ଜିତ କୁମାର ଜେନା ଏବଂ ଚିତ୍ତରଞ୍ଜନ ବେହେରା ସମସ୍ତ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ। ସୂଚନା ଯୋଗ୍ୟ ଯେ,ଶ୍ରୀ ଖଣ୍ଡା ପୂର୍ବରୁ ଇଟାମାଟିସ୍ଥିତ ବାମନ ଅବକାଶ ଉଚ୍ଚ ବିଦ୍ୟାଳୟରେ ବରିଷ୍ଠ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ।

