ଆସନ୍ତା ୧୭ କିମ୍ବା ୧୮ ତାରିଖରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସମ୍ଭାବନା । ବଦଳିବ ମୋଦି ସରକାରଙ୍କ ରୂପରେଖ । ମନ୍ତ୍ରୀମଣ୍ଡଳରୁ ପ୍ରାୟ ଏକ ଡଜନରୁ ଅଧିକ ମନ୍ତ୍ରୀ ବାଦ୍ ପଡ଼ି ପାରନ୍ତି । ଜୁନ ୧୮ରେ ବିଭିନ୍ନ ରାଜ୍ୟର ରାଜ୍ୟସଭା ସିଟ୍ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ୧୧ଟି ସିଟ୍ ପାଇଁ ମତଦାନ ହେବ । ସବୁଠୁ ବଡ କଥା ହେଉଛି ଯେ, ଏହି ସବୁ ଆସନ ପାଇଁ ବିଜେପି ପକ୍ଷରୁ ଦୁଇ କେନ୍ଦ୍ରମନ୍ତ୍ରୀ ରବନିତ୍ ସିଂ ବିଟ୍ଟୁ ଏବଂ ଜର୍ଜ କୁରିଆନଙ୍କ ନାଁ ଘୋଷଣା କରାଯାଇ ନାହିଁ । ଉଭୟ ରାଜ୍ୟସଭାରୁ ନିର୍ବାଚିତ ହୋଇ କେନ୍ଦ୍ରରେ ମନ୍ତ୍ରୀ ହୋଇଛନ୍ତି । ସେମାନଙ୍କ କାର୍ଯ୍ୟକାଳ ଖୁବ୍ ଶୀଘ୍ର ସରିବାକୁ ଯାଉଛି । ଆଶା କରାଯାଉଥିଲା ଯେ ସେମାନେ ପୁନଃ ନିର୍ବାଚିତ ହେବେ । ହେଲେ ବିଜେପି ସରପ୍ରାଇଜ୍ କରିଛି ।ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ଏକମାତ୍ର ଖ୍ରୀଷ୍ଟିଆନ ଭାବେ ମନ୍ତ୍ରୀ ଥିଲେ କୁରିଆନ୍ । ସେ ମଧ୍ୟପ୍ରଦେଶରୁ ନିର୍ବାଚିତ ହୋଇଥିଲେ । ସେହିପରି ବିଟ୍ଟୁ ରାଜସ୍ଥାନରୁ ପ୍ରାର୍ଥୀ ହୋଇଥିଲେ । ଏଥର ସେମାନଙ୍କ ନାଁ ନଥିବାରୁ ସେମାନଙ୍କ ମନ୍ତ୍ରୀ ପଦ ଯିବା ନେଇ ସମ୍ଭାବନା ଦେଖାଗଲାଣି ।ପରିବର୍ତ୍ତନରେ ସହଯୋଗୀ ଦଳଙ୍କୁ ୪-୫ଟି ମନ୍ତ୍ରୀ ପଦ ମିଳିପାରେ । ଟିଡିପି, ଜେଡିୟୁ ଓ ଶିବସେନା (ସିନ୍ଦେ) ଦଳକୁ ମନ୍ତ୍ରୀ ପଦ ମିଳିବା ସମ୍ଭାବନା ରହିଛି। ଏହାସହ ଆଗାମୀ ଦିନରେ ଯେଉଁ ରାଜ୍ୟଗୁଡିକରେ ବିଧାନସଭା ନିର୍ବାଚନ ରହିଛି, ସେହି ରାଜ୍ୟକୁ ଗୁରୁତ୍ବ ମିଳିପାରେ।ତେଣୁ ଉତ୍ତରପ୍ରଦେଶ , ଉତ୍ତରାଖଣ୍ଡ, ଗୋଆ, ମଣିପୁର, ପଞ୍ଜାବ, ହିମାଚଳ ପ୍ରଦେଶ, ଗୁଜୁରାଟକୁ ମିଳିପାରେ ଗୁରୁତ୍ବ। ପଞ୍ଜାବରେ ବିଜେପି ଏକାକୀ ନିର୍ବାଚନ ଲଢିବାକୁ ଯୋଜନା କରୁଛି। ସେହି ଦୃଷ୍ଟିରୁ ଆପ୍ ଛାଡି ବିଜେପିରେ ମିଶିଥିବା ରାଘବ ଚଢା ଓ ତାଙ୍କ ସହଯୋଗୀଙ୍କୁ ମନ୍ତ୍ରୀପରିଷଦରେ ସାମିଲ କରାଯିବାର ସମ୍ଭାବନା ରହିଛି। ଏହାସହ ୧୫ରୁ ଅଧିକ ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ ସମ୍ଭାବନା ରହିଛି। କୃଷି, ଆଇନ, ପରିବେଶ, ଜଳଶକ୍ତି , ରେଳ, ଅର୍ଥ, କର୍ପୋରେଟ୍ ବ୍ୟାପାର, କୋଇଲା, ବୟନଶିଳ୍ପ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ, ଗ୍ରାମ୍ୟ ବିକାଶ ଓ ସାର ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ ହୋଇପାରେ । କିଛି ବରିଷ୍ଠ ମନ୍ତ୍ରୀଙ୍କୁ ସରକାରରୁ ହଟାଇ ଦଳୀୟ ସଂଗଠନ ଦାୟିତ୍ବି ଦିଆଯିବା ସମ୍ଭାବନା ।
