ଓଡ଼ିଶାରେ ଚାଲିବନି ଉବେର-ରାପିଡୋ ବାଇକ! ୧୫ ଦିନ ଭିତରେ ସେବା ବନ୍ଦ ପାଇଁ ନିର୍ଦ୍ଦେଶ

ଓଡ଼ିଶାରେ ଉବେର ଓ ରାପିଡୋର ବାଇକ୍‌ ଟ୍ୟାକ୍ସି ସେବାକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ଆପ୍‌ ଜରିଆରେ ଯାତ୍ରୀ ପରିବହନରେ ବ୍ୟବହୃତ ହେଉଥିବା ଘରୋଇ ନମ୍ବର ଥିବା ଦୁଇଚକିଆ ଯାନର ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଉବେର ଓ ରାପିଡୋର ନୋଡାଲ ଅଧିକାରୀଙ୍କୁ ଚିଠି ଲେଖିଛି ଓଡ଼ିଶା ପୋଲିସର କ୍ରାଇମବ୍ରାଞ୍ଚ । ଏଥିପାଇଁ ଉଭୟ ସଂସ୍ଥାକୁ ୧୫ ଦିନର ସମୟ ଦିଆଯାଇଛି ।୧୦ ତାରିଖରେ ପରିବହନ କମିଶନର ତଥା ରାଜ୍ୟ ପରିବହନ ପ୍ରାଧିକରଣର ଅଧ୍ୟକ୍ଷଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଏ ସମ୍ପର୍କରେ ଚିଠି ଲେଖାଯାଇଛି । କଟକ, ଭୁବନେଶ୍ୱର-୧ ଏବଂ ଭୁବନେଶ୍ୱର-୨ ଆର୍ ଟିଓଙ୍କ ସ୍ୱତନ୍ତ୍ର ଯାଞ୍ଚ ରିପୋର୍ଟ ଆଧାରରେ ଏହି ପଦକ୍ଷେପ ନିଆଯାଇଛି । ଯାଞ୍ଚ ବେଳେ ଜଣାପଡ଼ିଥିଲା ଯେ, ଅନଲାଇନ୍ ଆପ୍ ମାଧ୍ୟମରେ କେତେକ ଘରୋଇ ଦୁଇଚକିଆ ଯାନକୁ ବ୍ୟବସାୟିକ ଯାତ୍ରୀ ପରିବହନରେ ନିୟୋଜିତ କରାଯାଉଛି । ଏହା ମୋଟର ଯାନ ଆଇନ, ୧୯୮୮ ଏବଂ ଓଡ଼ିଶା ଅନ୍ -ଡିମାଣ୍ଡ ଟ୍ରାନ୍ସପୋର୍ଟେସନ୍ ଟେକ୍ନୋଲୋଜି ଆଗ୍ରିଗେଟର୍ସ ଗାଇଡ୍ ଲାଇନ୍ସ, ୨୦୨୩ର ଉଲ୍ଲଂଘନ ବୋଲି କ୍ରାଇମବ୍ରାଞ୍ଚ ଦର୍ଶାଇଛି ।ତେବେ ଏହି ନିଷ୍ପତ୍ତି କେବଳ ଘରୋଇ ନମ୍ବର ଥିବା ଦୁଇଚକିଆ ଯାନରେ ଯାତ୍ରୀ ପରିବହନ ସେବାକୁ ନେଇ। ଉବେରର କାର୍‌ ଓ ଅଟୋ ସେବା ପୂର୍ବଭଳି ଜାରି ରହିପାରିବ ବୋଲି ସ୍ପଷ୍ଟ କରାଯାଇଛି। ତେବେ ଏନେଇ କମ୍ପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିପାରି ନାହିଁ ।

ଅଧିକ ପଢନ୍ତୁ