ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଚଳିତ ବର୍ଷର ଇଣ୍ଡିଆନ୍ ଆଇଡଲ୍- ସିଜିନ୍ ୧୬ର ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ଆଜି ତାଙ୍କ ସରକାରୀ ବାସଭବନରେ ସମ୍ବର୍ଦ୍ଧିତ କରିଛନ୍ତି। ଏଥି ସହିତ ଜ୍ୟୋତିର୍ମୟୀଙ୍କ ଅସାଧାରଣ କୃତିତ୍ୱ ପାଇଁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି।। ସଫଳତା ପଛରେ ଥିବା ତାଙ୍କ କଠିନ ପରିଶ୍ରମ ଓ ଅଧ୍ୟବସାୟ ବିଷୟରେ ବର୍ଣ୍ଣନା କରିଥିଲେ । ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ବୋଲି କହିଥିଲେ ।
ନୂଆ ପିଢିର କଣ୍ଠଶିଳ୍ପୀଙ୍କ ପାଇଁ ଜ୍ୟୋତିର୍ମୟୀ ଏକ ପ୍ରେରଣା ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ତାଙ୍କର ଏହି ବିରଳ ପ୍ରତିଭା ଓ ସେବା ମନୋଭାବର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସେ ସାରା ରାଜ୍ୟ ତଥା ଦେଶର ଏକ ‘ଯୁବ ଆଇକନ୍’। ସଙ୍ଗୀତକୁ ରୋଗୀଙ୍କ ସେବା କ୍ଷେତ୍ରରେ ବ୍ୟବହାର କରିବାର ଏହି ଉଦ୍ୟମ ଆଗାମୀ ଦିନରେ ଏକ ନୂଆ ଟ୍ରେଣ୍ଡ୍ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ। ଜ୍ୟୋତିର୍ମୟୀଙ୍କ ଭଳି ଯୁବ ପ୍ରତିଭାଙ୍କ ନିଷ୍ଠା ଓ ଉଦ୍ୟମ ସମୃଦ୍ଧ ଓଡିଶା ଓ ବିକଶିତ ଭାରତ ଗଠନର ସ୍ୱପ୍ନକୁ ସାର୍ଥକ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ
