କଟକ ସହରରେ ଅପମିଶ୍ରିତ ପନିର ବିକ୍ରି ନେଇ ଚାଲିଥିବା ଚଢ଼ଉରେ ଜବତ ହୋଇଥିବା ପନିର ନମୁନାକୁ ନେଇ ଆସିଛି ଚାଞ୍ଚଲ୍ୟକର ଟେଷ୍ଟ ରିପୋର୍ଟ । ଅଗଷ୍ଟ ୧୯ରେ କଟକରୁ ଜବତ ହୋଇଥିବା ପ୍ରାୟ ୭୩ କ୍ଵିଣ୍ଟାଲ ପନିର ଅପମିଶ୍ରିତ ବୋଲି ମିଳିଛି ପ୍ରମାଣ । ଏହି ପନିରରେ ମିଶୁଥିଲା ମଇଦା ଏବଂ ତା ସହିତ ମିଶାଯାଉଥିଲା ଡିଟରଜେଣ୍ଟ । ଯାହା ସ୍ବାସ୍ଥ୍ୟ ପାଇଁ ମାରାତ୍ମକ ।ସଂଗୃହୀତ ପନିର ନମୁନାର ପରୀକ୍ଷଣ ହରିୟାଣାରେ ହୋଇଛି। ଯାହାର ରିପୋର୍ଟ ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନରଙ୍କ ନିକଟରେ ପହଞ୍ଚିଛି ବୋଲି କହିଛନ୍ତି କଟକ ମହାନଗର ନିଗମର ସ୍ବାସ୍ଥ୍ୟ ଅଧିକାରୀ।ରିପୋର୍ଟ ମିଳିବା ପରେ ଏହାକୁ ଫୁଡ୍ ସେଫଟି କମିଶନରଙ୍କ ନିକଟକୁ ପଠାଯାଇଛି । କମିଶନରଙ୍କ ନିର୍ଦ୍ଦେଶ ମିଳିବା ପରେ ଏହି ଘଟଣାରେ ଆଇନ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ୭୩ କୁଇଣ୍ଟାଲ ଭଳି ବିପୁଳ ପରିମାଣର ପନିର ଖାଇବା ପାଇଁ ଅନୁପଯୁକ୍ତ ଥିବା ରିପୋର୍ଟ ଆସିବା ପରେ କଟକ ସହରରେ ବିକ୍ରି ହେଉଥିବା ପନିରର ମାନକୁ ନେଇ ପ୍ରଶ୍ନ ଉଠିଛି । ଆଗକୁ ମଧ୍ୟ ଅପମିଶ୍ରିତ ଓ ଅସୁରକ୍ଷିତ ଖାଦ୍ୟ ବିରୋଧରେ ଚଢ଼ଉ ଜାରି ରହିବ ବୋଲି କଟକ ମହାନଗର ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି ।
