ଶୀତ ଆସିବା ପୂର୍ବରୁ କଣାସରେ ବିଦେଶୀ ପକ୍ଷୀଙ୍କ ସମାଗମ । ହଜାର ହଜାର ସଂଖ୍ୟାରେ ଆସୁଛନ୍ତି ପ୍ରବାସୀ ପକ୍ଷୀ । ଅତିଥି ପକ୍ଷୀଙ୍କ କାକଳିରେ ମୁଖରିତ ହେଉଛି ଚିଲିକା ସଂଲଗ୍ନ ପୁରୀ ଜିଲ୍ଲାର କଣାସ ଅଞ୍ଚଳ ।ଲୋକେ ବିଦେଶୀ ପକ୍ଷୀକୁ ଦେଖିବାକୁ ଭିଡ଼ ଜମାଉଛନ୍ତି ।ସେପଟେ ସ୍ଥାନୀୟ ଅଞ୍ଚଳରେ ପକ୍ଷୀ ଶିକାରୀ ଦଳ ସକ୍ରିୟ ହୋଇଥିବା ଅଭିଯୋଗ ହୋଇଛି। ବନ ବିଭାଗ କୌଣସି ଦୃଢ଼ ପଦକ୍ଷେପ ନେଉ ନଥିବାରୁ ସ୍ଥାନୀୟ ପରିବେଶ ପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବନ ବିଭାଗର ପାଟ୍ରୋଲିଂ ବ୍ୟବସ୍ଥାରେ ଶିଥିଳତା ଯୋଗୁଁ ଶିକାରୀମାନେ ଭୟଶୂନ୍ୟ ହୋଇ ଯାଇଥିବା ଅଭିଯୋଗ ହୋଇଛି। ଏପିରିକି ଅନେକ ଦୁର୍ବୃତ୍ତମାନେ ଏହି ବିଦେଶୀ ପକ୍ଷୀଙ୍କୁ ଶିକାର କରୁଛନ୍ତି । ପରେ ଏହାକୁ ଚଢା ଦାମରେ ବିକ୍ରି କରୁଥିବାର ମଧ୍ୟ ଅଭିଯୋଗ ହୋଇଛି । ପ୍ରବାସୀ ପକ୍ଷୀଙ୍କ ସୁରକ୍ଷା ପାଇଁ ନିୟମିତ ପାଟ୍ରୋଲିଂ ସହ ବେଆଇନ ଶିକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ପରିବେଶପ୍ରେମୀ ଓ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
