ରାୟଗଡ଼ା:ସମ୍ଭାବ୍ୟ ବାତ୍ୟାକୁ ନେଇ ସଜାଗ ରାୟଗଡ଼ା ଜିଲ୍ଲା ପ୍ରଶାସନ। ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଜରୁରୀକାଳୀନ ପ୍ରସ୍ତୁତି ଆରମ୍ଭ ହୋଇଛି। ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସହ ଓଡ୍ରାଫ୍, ଏନ୍ଡିଆର୍ଏଫ୍ ଓ ଅଗ୍ନିଶମ ଟିମ୍କୁ ସଜାଗ ରଖାଯାଇଛି। ଜିଲ୍ଲାର ୧୧ଟି ଭୂସ୍ଖଳନପ୍ରବଣ ସ୍ଥାନ ଚିହ୍ନଟ ସହ ରାସ୍ତା ଅବରୋଧ ହେଲେ ତୁରନ୍ତ ସଫା କରିବାକୁ ଜେସିବି ମେସିନ୍ ପ୍ରସ୍ତୁତ ରହିଛି। ସେହିପରି ୧୩୧ଟି ଅସ୍ଥାୟୀ ଆଶ୍ରୟସ୍ଥଳ ଚିହ୍ନଟ କରାଯାଇଛି। ଗର୍ଭବତୀ ମହିଳାଙ୍କ ସୁରକ୍ଷା ସହ ସ୍ୱାସ୍ଥ୍ୟସେବା ଓ ବିଦ୍ୟୁତ୍ ବିଭାଗକୁ ମଧ୍ୟ ସଜାଗ ରଖାଯାଇଛି। ୨୭ ଓ ୨୮ ତାରିଖରେ ଅତି ଜରୁରୀ କାମ ନଥିଲେ ଘରୁ ବାହାରିବାକୁ ବାରଣ କରିଛନ୍ତି ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି। ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଦକ୍ଷିଣ ଓଡ଼ିଶାରେ ପଡ଼ିବା ଆଶଙ୍କା ଥିବାରୁ ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଜିଲ୍ଲାରେ ତିନିଟି ଓଡ୍ରାଫ୍ ଟିମ୍ ଓ ଗୋଟିଏ ଏନ୍ଡିଆର୍ଏଫ୍ ଟିମ୍ ମୁତୟନ ହୋଇଛନ୍ତି। ୧୧ଟି ଅଗ୍ନିଶମ ଟିମ୍ ଓ ତିନୋଟି ସ୍ପିଡ୍ ବୋଟ୍କୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ଜିଲ୍ଲାର ଗୁମାଘାଟି, ମୁକୁନ୍ଦପୁର ଓ ପୁଟାସିଂ ସମେତ ୧୧ଟି ଭୂସ୍ଖଳନପ୍ରବଣ ସ୍ଥାନ ଚିହ୍ନଟ କରାଯାଇଛି। ଏନ୍ଏଚ୍-୩୨୬ ଓ ମୁଖ୍ୟ ରାସ୍ତାଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ଅବରୋଧମୁକ୍ତ କରିବାକୁ ବ୍ୟବସ୍ଥା ହୋଇଛି। ସେହିପରି ବନ୍ୟା ଆଶଙ୍କା ଥିବା ଗୁଣପୁର ଓ ପଦ୍ମପୁର ଅଞ୍ଚଳର ନିମ୍ନାଞ୍ଚଳ ବସ୍ତିଗୁଡ଼ିକ ଉପରେ ନଜର ରଖାଯାଇଛି। ଜରୁରୀ ପରିସ୍ଥିତି ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ସଜାଗ ରଖିବା ସହ ଆବଶ୍ୟକ ଔଷଧ ଓ ସାପ କାମୁଡ଼ା ପ୍ରତିଷେଧକ ମହଜୁଦ ରଖାଯାଇଛି। ଅକ୍ଟୋବର ଶେଷ ସୁଦ୍ଧା ପ୍ରସବ ହେବାକୁ ଥିବା ୫୬ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପରିସ୍ଥିତି ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
