କ୍ୟାବିନେଟ ବୈଠକରେ ୭ଟି ବିଭାଗର ୧୩ଟି ପ୍ରସ୍ତାବକୁ ଅନୁମୋଦନ

ମଙ୍ଗଳବାର ରାଜ୍ୟ ମନ୍ତ୍ରିମଣ୍ଡଳ (କ୍ୟାବିନେଟ)ର ୪୪ତମ ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କ୍ୟାବିନେଟ ବୈଠକର ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେl ବୈଠକରେ ୭ଟି ବିଭାଗର ୧୩ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି । ସୂଚନା ଅନୁସାରେ, ଜଳ ସମ୍ପଦ ବିଭାଗର ୧ଟି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ୧ଟି, ସମବାୟ ୧ଟି, କୃଷି ଓ କୃଷକ ସଶକ୍ତି କରଣ ୧, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ୧, ରାଜସ୍ବ ୧ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ୭ଟି ଏହିପରି ମୋଟ ୭ଟି ବିଭାଗର ମୋଟ ୧୩ଟି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି ।କ୍ୟାବିନେଟର ବଡ ନିଷ୍ପତ୍ତି ଅନୁଯାୟୀ, ଗ୍ରାମ୍ୟ ଉନ୍ନୟନ ବିଭାଗର ‘ମୁଖ୍ୟମନ୍ତ୍ରୀ ସଡକ ଯୋଜନା’ର ଅବଧିକୁ ଆଉ ୫ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ଏହା ଅଧୀନରେ ୪୬୦୦ କିଲୋମିଟର ନୂଆ ସଡକ ନିର୍ମାଣ ପାଇଁ ଅନୁମୋଦନ ମିଳିଥିବା ବେଳେ ରାସ୍ତା ନଥିବା ଗାଁ ଗୁଡିକୁ ଏହାଦ୍ୱାରା ସଂଯୋଗ କରାଯିବ। ବିଶେଷ କରି ଦୁର୍ଗମ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ କରିବା ପାଇଁ ଏହି ପ୍ରୟାସ ଜାରି ରହିବ ବୋଲି କହିଛନ୍ତି ମୁଖ୍ୟ ସଚିବ। ରାଜ୍ୟର ‘ସେତୁ ବନ୍ଧ ଯୋଜନା’ର ଅବଧି ମଧ୍ୟ ୫ ବର୍ଷ ବୃଦ୍ଧି ପାଇଛି। ଯେଉଁଥିରେ ୩୧୬୭ଟି ପୁରୁଣା ସେତୁର ମରାମତି ଓ ନବୀକରଣ କରାଯିବ। ଅନ୍ୟପଟେ ସମବାୟ ବିଭାଗର ୧୯୫୬ ମସିହାର ପୁରୁଣା ଆଇନ ସଂଶୋଧନ ପ୍ରସ୍ତାବକୁ ମଧ୍ୟ ଆଜି ବୈଠକରେ ମଞ୍ଜୁରୀ ପ୍ରଦାନ କରାଯାଇଛି।

ଅଧିକ ପଢନ୍ତୁ