୬ ମାସରେ ମୁଦ୍ରାସ୍ଫୀତି ୨.୭୪%ରୁ ୪.୩୮%କୁ ବଢ଼ିଲା

ଦେଶର ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ନୀତି ନିର୍ଦ୍ଧାରକଙ୍କ ପର୍ୟ୍ୟନ୍ତ ସମସ୍ତଙ୍କ ପାଇଁ ମହଙ୍ଗା ମାଡ଼କୁ ନେଇ ଏକ ବଡ଼ ଏବଂ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି।ବିଗତ ୬ ମାସ ମଧ୍ୟରେ ଏହା ୨.୭୪ ପ୍ରତିଶତରୁ ବୃଦ୍ଧି ପାଇ ୪.୩୮ ପ୍ରତିଶତରେ ପହଞ୍ଚିଛି। ଜୁନ୍ ମାସରେ ଏହା ୧୭ ମାସର ସର୍ବୋଚ୍ଚ ସ୍ତର ଛୁଇଁଛି। ଏହା ସହିତ ଭାରତୀୟ ରିଜର୍ବ ବ୍ୟାଙ୍କ (ଆରବିଆଇ) ର ୪ ପ୍ରତିଶତ ଲକ୍ଷ୍ୟକୁ ମଧ୍ୟ ପାର୍ କରିଯାଇଛି। ମେ ମାସରେ ଏହି ହାର ୩.୯୩ ପ୍ରତିଶତ ଥିଲା।ସରକାରୀ ଆକଳନ ଅନୁସାରେ, ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ଯୋଗୁଁ ମୁଦ୍ରାସ୍ଫୀତି ବଢ଼ିଛି। ବିଶେଷ କରି ଶସ୍ୟ, ଡାଲି, ପନିପରିବା, ମସଲା ଓ କ୍ଷୀର ଜାତୀୟ ଦ୍ରବ୍ୟର ଦାମ୍ ବହୁତ ବଢ଼ିଯାଇଛି। ଜୁନ୍ ମାସରେ ଖାଦ୍ୟ ମୁଦ୍ରାସ୍ଫୀତି ୫.୩୨ ପ୍ରତିଶତକୁ ବୃଦ୍ଧି ପାଇଛି। ଏଥର ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧିର ସବୁଠାରୁ ବଡ଼ କାରଣ ହେଉଛି ଖାଦ୍ୟ ସାମଗ୍ରୀ ଏବଂ ଅଣ-ଖାଦ୍ୟ ପଦାର୍ଥର ଦରରେ ହୋଇଥିବା ଅସାମାନ୍ୟ ବୃଦ୍ଧି । ବର୍ଷାର ଅଭାବ ଏବଂ ଏଲ୍‌ ନିନୋର ପ୍ରଭାବ ଯୋଗୁଁ ଫସଲ କ୍ଷତିଗ୍ରସ୍ତ ହୋଇଥିବାରୁ ଖାଦ୍ୟ ସାମଗ୍ରୀର ଦାମ ବଢ଼ିଛି। ଭବିଷ୍ୟତର ମୁଦ୍ରାସ୍ଫୀତି ସ୍ଥିତିକୁ ନେଇ ଅର୍ଥନୀତିବିଦମାନଙ୍କ ମଧ୍ୟରେ ଚିନ୍ତା ସହ ଆଶା ମଧ୍ୟ ରହିଛି। ଇଣ୍ଡିଆ ରେଟିଂସ୍ ଆଣ୍ଡ ରିସର୍ଚ୍ଚର ନିର୍ଦ୍ଦେଶିକା ମେଘା ଅରୋରାଙ୍କ ମତରେ, ଜୁଲାଇ ୨୦୨୬ରେ ଥୋକ ମୁଦ୍ରାସ୍ଫୀତି ୧୦ ପ୍ରତିଶତରୁ ଅଧିକ ହୋଇପାରେ। ପଶ୍ଚିମ ଏସିଆ (ମଧ୍ୟପ୍ରାଚ୍ୟ)ରେ ପୁଣିଥରେ ବଢ଼ୁଥିବା ଉତ୍ତେଜନା ଯୋଗୁଁ ଅଶୋଧିତ ତୈଳର ଦର ବୃଦ୍ଧି ଏବଂ ଏଲ୍‌ ନିନୋର ପ୍ରଭାବରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ବଢ଼ିବା ଏହାର ପ୍ରମୁଖ କାରଣ ହୋଇପାରେ।

ଅଧିକ ପଢନ୍ତୁ