
ନୟାଗଡ଼,(ଓଡ଼ିଶା ଦର୍ପଣ):ଖଣ୍ଡପଡ଼ା ସହରର ୭ ଟି ଓ୍ବାର୍ଡରୁ ସୋମବାର ବିଳମ୍ବିତ ରାତିରେ ଦୁବୃର୍ତ୍ତମାନେ ବାସଗୃହକୁ ପାନୀୟ ଜଳ ଯୋଗାଣ ନିମନ୍ତେ ସଂଯୋଗ ହୋଇଥିବା ପାଇପରେ ଲାଗିଥିବା ନୀଳ ରଙ୍ଗର ମିଟର ଗୁଡିକ ଚୋରୀ କରି ନେଇଥିବା ଜଣାପଡିଛି।ଫଳରେ ମଙ୍ଗଳବାର ସକାଳେ ପାନୀୟଜଳ ଯୋଗାଣ ସମୟରେ ଏକାଧିକ ପରିବାରବର୍ଗ ପାଇପ ଲାଇନ ଯୋଗେ ପାନୀୟଜଳ ମୁନ୍ଦାଏ ପାଇବାରୁ ବଞ୍ଚିତ ହୋଇ ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାପଡିଛି।ଦୁବୃର୍ତ୍ତମାନେ ସଂଘବଦ୍ଧ ଭାବେ ଖଣ୍ଡପଡ଼ା ସହରର ୧, ୨, ୩, ୪, ୭, ୮, ୯ ନଂ ଓ୍ବାର୍ଡ ଅଧୀନ ୩୯ ଟି ସ୍ଥାନରୁ ପାଣି ପାଇପ କାଟି ମିଟର ଗୁଡିକ ଚୋରୀ କରି ନେଇଥିବା ସଂର୍ପକରେ ଖଣ୍ଡପଡ଼ା ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ନିର୍ବାହୀଯନ୍ତ୍ରୀ ତ୍ରିଲୋଚନ ବେହେରା ଖଣ୍ଡପଡ଼ା ଥାନାରେ ମଙ୍ଗଳବାର ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି।ଖଣ୍ଡପଡ଼ା ଥାନାଧିକାରୀ ଏ ଦିଗରେ ଦୃଷ୍ଟି ଦେଇ ଘଟଣାର ଖୋଳତାଡ କରିବାକୁ ଖଣ୍ଡପଡ଼ା ସହରବାସୀ ଦାବି କରିଛନ୍ତି।

ପ୍ରକାଶଥାଉକି ବିଳମ୍ବିତ ରାତିରେ ନିଶାଖୋର ଅବସ୍ଥାରେ ଏଣେତେଣେ ଘୁରି ବୁଲୁଥିବା ଅସାମାଜିକ ଯୁବକମାନେ ଏଭଳି କାଣ୍ଡ ଘଟାଇ ପାରିଥାନ୍ତି ବୋଲି ଏବେ ସହର ସାରା ଚର୍ଚ୍ଚା ହେଉଛି।ତେଣୁ ଏଥିପ୍ରତି ପୁଲିସ ପ୍ରଶାସନ ଦୃଷ୍ଟି ଦେବା ସହ ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ଘଟଣାର ଖୋଳତାଡ କରିବାକୁ ଖଣ୍ଡପଡ଼ା ସହରବାସୀ ଦାବି କରିଛନ୍ତି।ଚୋରୀ ହୋଇଥିବା ପାଣି ମିଟର ଗୁଡିକର ଆନୁମାନିକ ମୂଲ୍ଯ ୧.୨୫ ଲକ୍ଷ ଟଙ୍କା ହେବ ବୋଲି ବିଭାଗୀୟ କାର୍ଯ୍ଯାଳୟ ସୂତ୍ରରୁ ଜଣାପଡିଛି।
