
ନୟାଗଡ଼,(ଓଡ଼ିଶା ଦର୍ପଣ):ବାରମ୍ବାର ଦାବି ସତ୍ତ୍ବେ ମଧ୍ଯ ଭାପୁର ବ୍ଲକ ପ୍ରଶାସନ ପାନୀୟ ଜଳ ସମସ୍ୟାର ସମାଧାନ ନିମନ୍ତେ ଦୃଷ୍ଟି ନ ଦେବାରୁ ବାଉଁଶବାଟି ଗ୍ରାମବାସୀ ବାଧ୍ୟ ହୋଇ ମଙ୍ଗଳବାର ସକାଳେ ରାଜରାସ୍ତାକୁ ଓହ୍ଲାଇ ହରତାଳ କରିବା ସହ ବାଉଁଶବାଟି ଗ୍ରାମ ଠାରେ ରାସ୍ତାରୋକ ଆନ୍ଦୋଳନ କରିଥିଲେ।ଫଳରେ କଣ୍ଟିଲୋରୁ ବାଘମାରୀକୁ ସଂଯୋଗ କରୁଥିବା ୪୮ ନଂ ରାଜ୍ୟ ରାଜପଥରେ ଦିର୍ଘ ୬ ଘଣ୍ଟା ଧରି ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।ବାଉଁଶବାଟୀ ଗ୍ରାମବାସୀଙ୍କ ଅଭିଯୋଗ ପାନୀୟଜଳ ଯୋଗାଣ ନିମନ୍ତେ ଗ୍ରାମ ନିକଟସ୍ଥ ମାରଡ଼ା ଗ୍ରାମରେ ଗ୍ରାମ୍ଯ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଏକ ଓଭରହେଡ ପାଣି ଟାଙ୍କି ନିର୍ମାଣ କରାଯାଇଛି। ସେଠାରୁ ୨ କିଲୋମିଟର ଦୁରରେ ଅବସ୍ଥିତ ବାଉଁଶବାଟି ଗ୍ରାମକୁ ପାନୀୟଜଳ ଯୋଗାଣ ନିମନ୍ତେ ପାଣି ପାଇପ ଲାଇନ ବିଛା ଯାଇଛି।ମାତ୍ର ଏକ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ପାଇପ ଲାଇନ ଯୋଗେ ପାନୀୟ ଜଳ ଉପଲବ୍ଧ ହେଉ ନଥିବାରୁ ବାଉଁଶବାଟୀ ଗ୍ରାମବାସୀ ପାନୀୟଜଳ ପାଇବାରୁ ବଞ୍ଚିତ ହୋଇ ଆସୁଥିବା ଅଭିଯୋଗ ହେଉଛି। ଏ ସଂର୍ପକରେ ବାଉଁଶବାଟୀ ଗ୍ରାମବାସୀ ଭାପୁର ବ୍ଲକ ପ୍ରଶାସନର ବାରମ୍ବାର ଦୃଷ୍ଟି ଆକର୍ଷଣ କରି ନିରାଶ ହେବା ପରେ ପରିଶେଷରେ ଆନ୍ଦୋଳନାତ୍ମକ ପନ୍ଥା ସ୍ବରୁପ ରାଜରାସ୍ତାକୁ ଓହ୍ଲାଇ ଥିବା ଜଣାପଡିଛି।ସୂଚନାଯୋଗ୍ଯ ବାଉଁଶବାଟି ଗ୍ରାମର ୪ ଟି ୱାର୍ଡରେ ୧୨୦୦ ରୁ ଉର୍ଦ୍ଧ୍ବ ଜନସାଧାରଣ ବାସ କରୁଥିବା ବେଳେ ବର୍ଷ ତମାମ ସେମାନେ ପାନୀୟ ଜଳ ସମସ୍ୟାର ସମ୍ମୁଖୀନ ହେଉଥିବା ଜଣାପଡିଛି। ତେବେ ରାସ୍ତାରୋକ ସଂର୍ପକରେ ଖବରପାଇ ଫତେଗଡ଼ ଥାନାଧିକାରୀ ଅଜୟ କୁମାର ସାହୁ ଏକ ପ୍ଲାଟୁନ ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ଶାନ୍ତିଶୃଙ୍ଖଳା ରକ୍ଷା କରିବା ସହ ଆନ୍ଦୋଳନରତ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ।ପରେ ଭାପୁର ବିଡ଼ିଓ ସାରଦା ପ୍ରସନ୍ନ ପଣ୍ଡା,ନୟାଗଡ ଗ୍ରାମ୍ଯ ଜଳଯୋଗାଣ ଓ ପରିମଳ ବିଭାଗ ନିର୍ବାହୀଯନ୍ତ୍ରୀ ଆଲୋକ ରଞ୍ଜନ ପଣ୍ଡା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଗ୍ରାମବାସୀଙ୍କୁ ଦିର୍ଘ ସମୟ ଧରି ବୁଝାସୁଝା କରିବା ସହ ଖୁବଶୀଘ୍ର ସମସ୍ୟାର ସମାଧାନ ନେଇ ପ୍ରତିଶୃତି ଦେବା ପରେ ଗ୍ରାମବାସୀ ରାସ୍ତାରୋକ ଆନ୍ଦୋଳନରୁ ଓହରି ଯାଇଥିବା ଜଣାପଡିଛି।ମାରଡ଼ା ଗ୍ରାମସ୍ଥିତ ଓଭରହେଡ଼ ପାଣି ଟାଙ୍କିରୁ ବାଉଁଶବାଟୀ ଗ୍ରାମକୁ ମାଟି ତଳେ ସଂଯୋଗ କରାଯାଇଥିବା ମୁଖ୍ଯ ପାଣି ପାଇପ ଲାଇନରୁ କେତେକ ବ୍ୟକ୍ତି ଚୋରାରେ ବାସଗୃହକୁ ପାଇପ ସଂଯୋଗ କରି ପାଣି ବ୍ୟବହାର କରୁଥିବା ଅଭିଯୋଗ ହେଉଛି। ଏଥିପ୍ରତି ବ୍ଲକ ପ୍ରଶାସନ ଓ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଉଁଶବାଟି ଗ୍ରାମବାସୀ ଦାବି କରିଛନ୍ତି।
