ଖରାଛୁଟି ପରେ ଖୋଲିଲା ସ୍କୁଲ, ଅସହ୍ୟ ଗରମ ଓ ଗୁଳୁଗୁଳିରେ କଲବଲ ଛାତ୍ରଛାତ୍ରୀ

ସକାଳୁଆ ସ୍କୁଲ ପାଇଁ ଅଭିଭାବକ ଓ ଶିକ୍ଷକ ସଂଗଠନର ଦାବି

ନୟାଗଡ଼,(ଓଡ଼ିଶା ଦର୍ପଣ): ଦୀର୍ଘ ଦେଢ଼ ମାସର ଗ୍ରୀଷ୍ମକାଳୀନ ଅବକାଶ ପରେ ଆଜିଠାରୁ ନୟାଗଡ଼ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡ଼ିକ ପୁନର୍ବାର ଖୋଲିଛି। ତେବେ ପ୍ରଥମ ଦିନରେ ହିଁ ପ୍ରକୃତିର ପ୍ରକୋପ ଓ ପ୍ରଶାସନିକ ଅବ୍ୟବସ୍ଥାର ଶିକାର ହୋଇଛନ୍ତି କୋମଳମତି ଛାତ୍ରଛାତ୍ରୀ। ଜିଲ୍ଲାରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ଗୁଳୁଗୁଳି ଯୋଗୁଁ ସ୍କୁଲ ଆସିଥିବା ପିଲାମାନେ ନାହିଁନଥିବା ଅସ୍ତବ୍ୟସ୍ତ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ବିଶେଷ କରି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛୋଟ ଛୋଟ ପିଲାମାନେ ଏହି ପ୍ରତିକୂଳ ପରିବେଶରେ ସବୁଠାରୁ ବେଶି କଷ୍ଟ ଭୋଗିଛନ୍ତି। ମଧ୍ୟାହ୍ନ ସମୟରେ ତାପମାତ୍ରା ବୃଦ୍ଧି ପାଇବା ସହ ବାୟୁମଣ୍ଡଳରେ ଆଦ୍ରତା ଯୋଗୁଁ ଅସହ୍ୟ ଗୁଳୁଗୁଳି ହେବାରୁ ଶ୍ରେଣୀଗୃହ ମଧ୍ୟରେ ବସିବା ପିଲାଙ୍କ ପାଇଁ ଦୁର୍ବିଷହ ହୋଇପଡ଼ିଥିଲା।
ଜିଲ୍ଲାର ଅଧିକାଂଶ ଗ୍ରାମାଞ୍ଚଳ ବିଦ୍ୟାଳୟରେ ଭିତ୍ତିଭୂମିର ବିକଳ ଚିତ୍ର ପୁଣି ଥରେ ପଦାରେ ପଡ଼ିଛି। ଅନେକ ସ୍କୁଲରେ ବିଦ୍ୟୁତ ସଂଯୋଗ ଥିଲେ ମଧ୍ୟ ବିଦ୍ୟୁତ କାଟ ଯୋଗୁଁ ଫ୍ୟାନ୍ ଚାଲୁନାହିଁ, ତ ଅନ୍ୟ କେତେକ ସ୍ଥାନରେ ଆବଶ୍ୟକ ସଂଖ୍ୟକ ପଙ୍ଖା ନଥିବା ଅଭିଯୋଗ ହୋଇଛି। ପ୍ରବଳ ଗୁଳୁଗୁଳି ଓ ଗରମ ଯୋଗୁଁ ପିଲାମାନେ କଷ୍ଟ ପାଉଥିବା ବେଳେ, ପର୍ଯ୍ୟାପ୍ତ ପାନୀୟ ଜଳର ବ୍ୟବସ୍ଥା ନଥିବା କିଛି ସ୍କୁଲରେ ପିଲାମାନେ ଡିହାଇଡ୍ରେସନ (ଜଳାଭାବ)ର ଶିକାର ହୋଇ ଅସୁସ୍ଥ ହୋଇପଡ଼ିଥିବା ଖବର ମଧ୍ୟ ହସ୍ତଗତ ହୋଇଛି। ଶ୍ରେଣୀଗୃହ ମଧ୍ୟରେ ପିଲାମାନେ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ଅଭିଭାବକ ମହଲରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି।
ବର୍ତ୍ତମାନର ଏଭଳି ପ୍ରତିକୂଳ ତଥା ସଂଗୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଗୁଡ଼ିକର ସମୟ ନିର୍ଘଣ୍ଟରେ ପରିବର୍ତ୍ତନ କରିବାକୁ ବିଭିନ୍ନ ମହଲରୁ ସ୍ୱର ଉତ୍ତୋଳନ ହେଲାଣି। ଦିନ ସମୟରେ ସ୍କୁଲ ଚାଲିଲେ ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିଯିବାର ଆଶଙ୍କା ରହିଛି। ତେଣୁ ତୁରନ୍ତ ସମସ୍ତ ବିଦ୍ୟାଳୟକୁ ସକାଳୁଆ କରିବା ପାଇଁ ଅଭିଭାବକ ମହାସଂଘ, ବିଭିନ୍ନ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷକ ସଂଗଠନ ଏବଂ ସ୍ଥାନୀୟ ଜନସାଧାରଣଙ୍କ ତରଫରୁ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଜୋରଦାର ଦାବି କରାଯାଇଛି। ପିଲାଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଆଖିରେ ରଖି ପ୍ରଶାସନ ଏହି ଦିଗରେ ତୁରନ୍ତ ଏକ ସକାରାତ୍ମକ ନିଷ୍ପତ୍ତି ଗ୍ରହଣ କରୁ ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି।By:Laxmidhar Sahoo

ଅଧିକ ପଢନ୍ତୁ