ରାଜ୍ୟର କୃଷି କ୍ଷେତ୍ରକୁ ଅଧିକ ଗତିଶୀଳ କରିବା ଏବଂ ଚାଷୀଙ୍କ ଆୟ ବୃଦ୍ଧି ଲକ୍ଷ୍ୟରେ ରାଜ୍ୟ ସରକାର ଚଳିତ ଖରିଫ୍ ଋତୁ ପାଇଁ ଏକ ବୃହତ୍ ଋଣ ଯୋଜନା ଘୋଷଣା କରିଛନ୍ତି। ଏଥର ଖରିଫ୍ ଋତୁରେ ସମବାୟ ବ୍ୟାଙ୍କଗୁଡ଼ିକ ଜରିଆରେ ଚାଷୀଙ୍କୁ ମୋଟ ୧୧ ହଜାର ୫୦୦ କୋଟି ଟଙ୍କାର ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। । ଏଥିପାଇଁ ଚଳିତ ଖରିଫ ୨୦୨୬ ଋତୁ ପାଇଁ ଏକ ବୃହତ ଋଣ ଯୋଜନା ଘୋଷଣା କରିଛନ୍ତି ରାଜ୍ୟ ସରକାର ।ରାଜ୍ୟ ସରକାରଙ୍କ ନୂତନ ନିୟମ ଅନୁଯାୟୀ, ସମବାୟ ବ୍ୟାଙ୍କ, ପ୍ୟାକ୍ସ ବା PACS ଓ ଅନ୍ୟାନ୍ୟ ବ୍ୟାଙ୍କ ମାଧ୍ୟମରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ନେଉଥିବା ଚାଷୀଙ୍କ ପାଇଁ ସୁଧ ହାର ଶୂନ୍ୟ (୦%) ରହିବ । ସେହିପରି ୧ ଲକ୍ଷରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଉଥିବା ଚାଷୀଙ୍କ ପାଇଁ ସୁଧ ହାର ମାତ୍ର ୨% ରହିବ । ଯଦି ସେମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ଋଣ ପରିଶୋଧ କରନ୍ତି ।ଏଣିକି ପ୍ୟାକ୍ସ ଜରିଆରେ ସମସ୍ତ ସ୍ୱଳ୍ପମିଆଦି କୃଷି ଋଣ କେବଳ ଅନଲାଇନ୍ ମାଧ୍ୟମରେ ହିଁ ପ୍ରଦାନ କରାଯିବ । ଯେଉଁ ପ୍ୟାକ୍ସଗୁଡ଼ିକ ଅନଲାଇନ୍ ବ୍ୟବସ୍ଥା ଗ୍ରହଣ କରିନାହାନ୍ତି, ସେମାନଙ୍କୁ ଖରିଫ -୨୦୨୬ ପାଇଁ ରିଫାଇନାନ୍ସ ସୁବିଧା ମିଳିବ ନାହିଁ । ଋଣ ଟଙ୍କା ସିଧାସଳଖ ଚାଷୀଙ୍କ ସଞ୍ଚୟ ବ୍ୟାଙ୍କ ଖାତାକୁ ଯିବ । ଯାହା ପାଇଁ ଚାଷୀଙ୍କ ବ୍ୟାଙ୍କ ଖାତା ସହ ଆଧାର ସଂଯୋଗ ବାଧ୍ୟତାମୂଳକ କରାଯାଇଛି ।ରାଜ୍ୟର କୃଷି ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ବଳରାମ ଯୋଜନା ଜରିଆରେ ଭାଗଚାଷୀ, ଜମିହୀନ ଚାଷୀ ଏବଂ ମୌଖିକ ଲିଜ୍ ଧାରିଙ୍କୁ ମଧ୍ୟ ଅଧିକ ଋଣ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଛି । ପ୍ୟାକ୍ସଗୁଡ଼ିକ ନିଜର ମୋଟ ଋଣର ଅତିକମରେ ୧୦% ଏହି ବର୍ଗର ଚାଷୀଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ଛଡ଼ା ଖରିଫ ଋତୁରେ ସାର ଓ ବିହନର ଅବାଧ ଯୋଗାଣ ପାଇଁ ପ୍ୟାକ୍ସଗୁଡ଼ିକରେ ପୂର୍ବରୁ ଆବଶ୍ୟକୀୟ ମହଜୁଦ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
