ଗମ୍ଭାରୀଡ଼ିହି ଗ୍ରାମରେ ବୋଇତ ବନ୍ଦାଣ ମହୋତ୍ସବ:ଓଡ଼ିଆ ସିନେ କଳାକାରଙ୍କ ଉପସ୍ଥିତିରେ ଉତ୍ସବମୁଖର ହେଲା ଗ୍ରାମ ପରିବେଶ

ନୟାଗଡ଼, (ଓଡ଼ିଶା ଦର୍ପଣ): ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ପରମ୍ପରା ଓ ଐତିହ୍ୟକୁ ମନେ ପକାଇ ନୟାଗଡ଼ ଜିଲ୍ଲାର ଗମ୍ଭାରୀଡ଼ିହି ଗ୍ରାମରେ ପ୍ରଥମ ଥର ପାଇଁ ଆଡ଼ମ୍ବରପୂର୍ଣ୍ଣ ଭାବେ ଆୟୋଜିତ ହୋଇଯାଇଛି ‘ପ୍ରଥମ ବୋଇତ ବନ୍ଦାଣ ମହୋତ୍ସବ–୨୦୨୬’। ଏହି ମହୋତ୍ସବ ଗ୍ରାମବାସୀଙ୍କ ମଧ୍ୟରେ ନୂତନ ଉତ୍ସାହ, ଆନନ୍ଦ ଓ ସାଂସ୍କୃତିକ ଚେତନା ସୃଷ୍ଟି କରିଛି।

ଏହି ଉତ୍ସବରେ ନୟାଗଡ଼ର ବିଧାୟକ ଡ଼. ଅରୁଣ କୁମାର ସାହୁ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ତାଙ୍କ ଉପସ୍ଥିତି ଉତ୍ସବର ଗୁରୁତ୍ୱକୁ ଆହୁରି ବୃଦ୍ଧି କରିଥିଲା।

ଏହି ଅବସରରେ ଓଡ଼ିଶାର ସୁପରିଚିତ ସିନେ କଳାକାର ଓ ହାସ୍ୟ ଅଭିନେତାମାନେ ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରେ ହାସ୍ୟ ଅଭିନେତା ତଥା ବ୍ୟଙ୍ଗକବି ରବୀନ୍ଦ୍ର ରାଉତ, ହାସ୍ୟ ଅଭିନେତା ନିରଞ୍ଜନ ଆଚାର୍ଯ୍ୟ, ସତ୍ୟବ୍ରତ ପାଣିଗ୍ରାହୀ, ଚଳଚ୍ଚିତ୍ର ଓ ଧାରାବାହିକ ଅଭିନେତ୍ରୀ ଶିନା ମହାନ୍ତି ଏବଂ ପ୍ରିୟଙ୍କା ପ୍ରମୁଖ ଉପସ୍ଥିତ ରହି ନିଜର କଳା ପ୍ରଦର୍ଶନ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରିଥିଲେ।

ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ଗ୍ରାମର ପାରମ୍ପରିକ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ। ଗ୍ରାମର କୁନି କୁନି କଳାକାରମାନେ ସାଧବ ଓ ସାଧବାଣୀ ବେଶରେ ସଜ୍ଜିତ ହୋଇ ଗ୍ରାମ ମଣ୍ଡପ ନିକଟସ୍ଥ ପୋଖରୀରେ ବୋଇତ ଭସାଇଥିଲେ। ଏହି ମନୋରମ ଦୃଶ୍ୟ ଓଡ଼ିଆ ଅସ୍ମିତା, ଐତିହ୍ୟ ଓ ପରମ୍ପରାର ସ୍ମୃତିକୁ ଉଜ୍ଜୀବିତ କରିଥିଲା।

ଏଥିସହିତ ଗ୍ରାମର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ, ଯୁବକ, ସାମାଜିକ କର୍ମୀ ଓ ସଂସ୍କୃତିପ୍ରେମୀ ଯୋଗଦେଇ କାର୍ଯ୍ୟକ୍ରମକୁ ଆହୁରି ଆକର୍ଷଣୀୟ ଓ ସଫଳ କରିଥିଲେ।

ଏହି ମହୋତ୍ସବର ଆୟୋଜନ କରିଥିଲା ତରଙ୍ଗ ଥିଏଟର ଓ ବୋଇତ ବନ୍ଦାଣ ଉତ୍ସବ କମିଟି ର  ମିଳିତ ସହଯୋଗ ରେ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ନାଟ୍ୟକର୍ମୀ ଜ୍ଞାନରଞ୍ଜନ ସାଥୁଆଙ୍କ ଏହି ଅଭିନବ ପ୍ରୟାସ ଗ୍ରାମାଞ୍ଚଳରେ କଳା, ସଂସ୍କୃତି ଓ ପରମ୍ପରାର ପୁନରୁତ୍ଥାନ ଦିଗରେ ଏକ ପ୍ରଶଂସନୀୟ ପଦକ୍ଷେପ ହୋଇଛି।

ପ୍ରଥମ ପ୍ରୟାସରେ ହିଁ ଏହି ମହୋତ୍ସବ ଗମ୍ଭାରୀଡ଼ିହି ଗ୍ରାମରେ ଏକ ସ୍ୱତନ୍ତ୍ର ସାଂସ୍କୃତିକ ପରିବେଶ ସୃଷ୍ଟି କରିବା ସହ ଆଗାମୀ ଦିନରେ ଏହା ଏକ ବୃହତ୍ ସାଂସ୍କୃତିକ ଉତ୍ସବରେ ପରିଣତ ହେବାର ଆଶା ସୃଷ୍ଟି କରିଛି।

ଅଧିକ ପଢନ୍ତୁ