ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ପାଗକୁ ନେଇ ଏବେ ଚର୍ଚ୍ଚା ବଢ଼ିଛି। ତେବେ ଆଶ୍ୱସ୍ତିର କଥା ହେଉଛି, ଓଡ଼ିଶାରେ ବଡ଼ ଧରଣର ବର୍ଷା ହେବାର ଆଶଙ୍କା କମ୍ ରହିଛି। ଏପରିକି ବିଜୟା ଦଶମୀ ଦିନ ପାଗ ସୁଧୁରିବା ସହ ଅଧିକାଂଶ ସ୍ଥାନରେ ଶୁଖିଲା ପାଗ ରହିପାରେ। ଏପଟେ ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଜାରି ରହିଛି। ଫଳରେ ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିବାରୁ ତାତି ଓ ଗୁଳୁଗୁଳିରୁ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି। ଶୁକ୍ରବାର ସନ୍ଧ୍ୟାରୁ ବିଭିନ୍ନ ଜିଲାରେ ଝଡ଼ବର୍ଷା ହୋଇଥିବା ସୂଚନା ମିଳିଛି। ଶନିବାର ମଧ୍ୟ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାକୁ ଝଡ଼ବର୍ଷା ପାଇଁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ଅନ୍ୟାନ୍ୟ ଜିଲାଗୁଡିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ସୂଚନା ଦିଆଯାଇଛି।
