ଚ୍ବୌଦ୍ବାର ଜେଲ ଅଧୀକ୍ଷକଙ୍କ ଅଗ୍ରୀମ ଜାମିନ ଖାରଜ

ଚୌଦ୍ୱାର ସର୍କଲ ଜେଲରୁ କଏଦୀ ଫେରାର ଘଟଣାରେ ସୁରକ୍ଷା ତ୍ରୁଟି ଓ ବଡ଼ ଧରଣର ଷଡ଼ଯନ୍ତ୍ର ମାମଲାରେ ଜେଲ୍ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କୁ ଲାଗିଛି ବଡ ଝଟକା । ଜେଲ୍ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ଆଗୁଆ ଜାମିନ ଆବେଦନ ଉପରେ ଶୁଣାଣି ଶେଷ କରି ହାଇକୋର୍ଟ ତାହାକୁ ନାକଚ କରିଦେଇଛନ୍ତି ।ସମ୍ଭାବ୍ୟ ଗିରଫଦାରୀରୁ ସୁରକ୍ଷା ପାଇଁ ସୁଜିତ କୁମାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗତ ଅକ୍ଟୋବର ୩ ତାରିଖରେ ଚୌଦ୍ୱାର ସର୍କଲ ଜେଲ୍ ରୁ ଦୁଇଜଣ ବିହାରୀ କଏଦୀ ଫେରାର ହେବା ଘଟଣା ପରେ ଜେଲର ସୁରକ୍ଷା ବ୍ୟବସ୍ଥା ଓ ପ୍ରଶାସନିକ ଦାୟିତ୍ୱକୁ ନେଇ ବଡ଼ ପ୍ରଶ୍ନ ଉଠିଥିଲା ।ଅଦାଲତରେ ଶୁଣାଣି ସମୟରେ ଅଭିଯୋଗକାରୀ ତଥା ତତ୍କାଳୀନ ଚୌଦ୍ୱାର ଜେଲର ଜେଲର୍ ସନ୍ତୋଷିନୀ ଦାଶଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଓକିଲ ଡକ୍ଟର ବିନୋଦ ମିଶ୍ର ଅଦାଲତରେ ଉପସ୍ଥାପନ କରିଥିଥିବା ଯୁକ୍ତି ଅନୁଯାୟୀ ସିନିୟର ସୁପରିଟେଣ୍ଡେଣ୍ଟ ସୁଜିତ କୁମାର ରାଉଳ ‘ମିନିଟ୍ ବୁକ୍‌’ରେ ଜେଲରଙ୍କ ସ୍ୱାକ୍ଷରକୁ ଜାଲିଆତି କରି ଏକ ମନଗଢ଼ା ଦସ୍ତାବିଜ ପ୍ରସ୍ତୁତ କରିଥିଲେ ।

ଜେଲ୍‌ ବ୍ରେକ୍ ଭଳି ସଂଗୀନ ଘଟଣା ଦିନ ସେ ନିଜେ ଅନଧିକୃତ ଭାବେ ଅନୁପସ୍ଥିତ ରହି, ଏହି ଜାଲ୍ ଦସ୍ତାବିଜ ଜରିଆରେ ସମ୍ପୂର୍ଣ୍ଣ ଦାୟିତ୍ୱ ଜେଲରଙ୍କ ଉପରେ ଲଦି ଦେବାକୁ ଚେଷ୍ଟା କରିଥିଲେ । ଏହା ସହ ପୋଲିସ ତଦନ୍ତରୁ ଏକାଧିକ ଷଡ଼ଯନ୍ତ୍ର ଏବଂ ସାକ୍ଷୀମାନଙ୍କୁ ଶିଖାଇବା ଭଳି ଚଞ୍ଚକତା ସାମ୍ନାକୁ ଆସିଛି ।ଜେଲ୍ ପ୍ରଶାସନର ବିଭିନ୍ନ ନିଷ୍ପତ୍ତି, ନିର୍ଦ୍ଦେଶ ଓ ପ୍ରଶାସନିକ ବୈଠକ ସମ୍ପର୍କିତ ତଥ୍ୟ ମିନିଟ୍ ବୁକ୍ ରେ ଲିପିବଦ୍ଧ ହୋଇଥାଏ ।ତେଣୁ କଏଦୀ ଫେରାର ଭଳି ଗୁରୁତର ଘଟଣାରେ ଘଟଣା ପୂର୍ବରୁ ଓ ପରେ କେଉଁ ନିଷ୍ପତ୍ତି ନିଆଯାଇଥିଲା, କାହାକୁ କେଉଁ ଦାୟିତ୍ୱ ଦିଆଯାଇଥିଲା ଓ କେଉଁ ନିର୍ଦ୍ଦେଶ ଜାରି ହୋଇଥିଲା ।  ତାହା ଯାଞ୍ଚ କରିବାରେ ଏହି ସରକାରୀ ରେକର୍ଡର ଗୁରୁତ୍ୱ ରହିଛି ।  କଏଦୀ ଫେରାର ଘଟଣାରୁ ଆରମ୍ଭ ହୋଇଥିବା ବିବାଦ ଏବେ ଜେଲ୍ ର ସରକାରୀ ରେକର୍ଡରେ ଜାଲିଆତି ଅଭିଯୋଗ ପର୍ଯ୍ୟନ୍ତ ପହଞ୍ଚିଛି ।  ଆଗୁଆ ଜାମିନ ଆବେଦନ ଖାରଜ ହେବା ପରେ ମାମଲାରେ ପୋଲିସର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ । ମିନିଟ୍ ବୁକ୍ ବିବାଦର ତଦନ୍ତ କେଉଁ ଦିଗକୁ ଯିବ, ତାହା ଉପରେ ଏବେ ନଜର ।

ଅଧିକ ପଢନ୍ତୁ