ଏଭରେଷ୍ଟ କମ୍ପାନୀ ଉପରେ FSSAIର ବଡ଼ କାର୍ଯ୍ୟାନୁଷ୍ଠାନ: ହେଙ୍ଗୁ ବିକ୍ରି ଅସ୍ଥାୟୀ ବ୍ୟାନ

ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରସିଦ୍ଧ ମସଲା କମ୍ପାନୀ ‘ଏଭରେଷ୍ଟ ଫୁଡ୍ ପ୍ରଡକ୍ଟସ’ ଏବଂ ‘ଲାଲଜୀ ଗୋଧୁ’ ଦ୍ୱାରା ପ୍ରସ୍ତୁତ କମ୍ପାଉଣ୍ଡେଡ୍ ହିଙ୍ଗୁ (Compounded Asafoetida) ର ବିକ୍ରି ଉପରେ FSSAI ସାମୟିକ ଭାବେ ରୋକ୍ ଲଗାଇଛି।ଏଥିସହ ନିର୍ଦ୍ଧାରିତ ଖାଦ୍ୟ ସୁରକ୍ଷା ମାନଦଣ୍ଡ ପାଳନ ପାଇଁ କିଭଳି ପଦକ୍ଷେପ ନିଆଯିବ, ସେନେଇ ଆକ୍ସନ ପ୍ଲାନ୍ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ବଜାରରେ ପୂର୍ବରୁ ଥିବା ଖରାପମାନର ଉତ୍ପାଦକୁ ସ୍ୱଇଚ୍ଛାରେ ପ୍ରତ୍ୟାହାର କରିବାକୁ ମଧ୍ୟ କମ୍ପାନୀଗୁଡ଼ିକୁ ପରାମର୍ଶ ଦିଆଯାଇଛି।କମ୍ପାନୀଗୁଡ଼ିକ ନିୟମ ଅନୁସାରେ ପଦକ୍ଷେପ ନ ନେବା ପର୍ଯ୍ୟନ୍ତ ଏହି ରୋକ ବଳବତ୍ତର ରହିବ।ଜଣେ ଗ୍ରାହକଙ୍କ ଅଭିଯୋଗ ପରେ ଏଫ୍ଏସଏସ୍ଏଆଇ ପ୍ରମୁଖ ହେଙ୍ଗୁ ବ୍ରାଣ୍ଡଗୁଡ଼ିକ ବିରୋଧରେ ଯାଞ୍ଚ ଆରମ୍ଭ କରିଥିଲା। ମୁମ୍ବାଇରେ ଉଭୟ କମ୍ପାନୀର ଉତ୍ପାଦନ ୟୁନିଟ୍ ଏବଂ ଗୁଜରାଟର ଉମରଗାଓଁସ୍ଥିତ ଏଭରେଷ୍ଟର ୟୁନିଟ୍ରୁ ନମୁନା ସଂଗ୍ରହ କରାଯାଇଥିଲା। ପରୀକ୍ଷାରେ ଏହି ନମୁନାଗୁଡ଼ିକ ନିର୍ଦ୍ଧାରିତ ମାନ ପୂରଣ କରୁନଥିବା ଜଣାପଡ଼ିଛି।

ନିୟମ ଅନୁସାରେ, କମ୍ପାଉଣ୍ଡେଡ୍ ହେଙ୍ଗୁରେ ଅତି କମରେ ୫ ପ୍ରତିଶତ ଆଲକୋହଲ୍-ସଲ୍ୟୁବଲ୍ ଏକ୍ସଟ୍ରାକ୍ଟ ରହିବା ଆବଶ୍ୟକ। କିନ୍ତୁ ଯାଞ୍ଚ ହୋଇଥିବା ନମୁନାରେ ଏହାର ପରିମାଣ ମାତ୍ର ୦ରୁ ୩ ପ୍ରତିଶତ ମଧ୍ୟରେ ଥିବା ଜଣାପଡ଼ିଛି। ଏଫ୍ଏସଏସ୍ଆଇ ଅନୁସାରେ, ଏହାର ଅର୍ଥ ହେଉଛି ନିର୍ମାତାମାନେ ଆବଶ୍ୟକତାଠାରୁ ପ୍ରାୟ ୩୦ରୁ ୪୦ ପ୍ରତିଶତ କମ୍ କଞ୍ଚା ହେଙ୍ଗୁ ବ୍ୟବହାର କରିଥାଇପାରନ୍ତି।

ଅଧିକ ପଢନ୍ତୁ