ରାୟଗଡ଼ା- ବାଘ ଛାଲ କିଣାବିକା ବେଳେ ମାଡ଼ି ବସିଲା ବନ ବିଭାଗ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ରେଞ୍ଜ ଅଧୀନସ୍ଥ ରିଭଲକଣା ଠାରେ ଏହି ଡିଲ୍ ଚାଲିଥିଲା । ତେବେ ଏନେଇ ବନ ବିଭାଗ ଗତକାଲି ଠାରୁ ଖବର ପାଇ ଟ୍ରାପ ବିଛାଇ ବସିଥିଲା । ରାୟଗଡ଼ା ଜିଲାର ୫ଜଣ ଏବଂ କଳାହାଣ୍ଡି ଜିଲାର ୩ଜଣ ରିଭଲକଣା ଛକ ଠାରେ ଏହି ଡିଲ୍ କରୁଥିବା ବେଳେ ବନ ବିଭାଗ କର୍ମଚାରୀ ମାଡ଼ି ବସିଥିଲେ । ଗୋଟିଏ କଲରାପତରିଆ ବାଘ ଛାଲ ଜବତ ଓ ୮ଗିରଫ ହୋଇଥିବା ବେଳେ ଗୋଟିଏ ମୋଟରସାଇକେଲ ଓ ମୋବାଇଲ ଫୋନ୍ ଜବତ ହୋଇଛି । ଗିରଫ ୮ଜଣଙ୍କ ମଧ୍ୟରୁ କଳାହାଣ୍ଡି ଜିଳାର ଜିତେନ୍ଦ୍ର ବେନିଆ, ଇ ଜେ ରାଓ ସାହୁ ଓ ମୁନୁଗା ମାଝି ଏବଂ ରାୟଗଡ଼ା ଜିଲା କଲ୍ୟାଣସିଂହପୁରର ଭରତ ନାଚିକା, ରାୟଗଡ଼ାର ବ୍ଳକର ସୀମାଦ୍ରି ତାଡ଼ିଙ୍ଗି, ରିଭଲକଣାର କୈଳାସ ଜାନି, ପ୍ରଶାନ୍ତ କାଡ୍ରାକା ଏବଂ ଧର୍ମ ପାତିକା । କଲ୍ୟାଣସିଂହପୁର ରେଞ୍ଜର ସଚ୍ଚିଦାନନ୍ଦ ପରିଡ଼ାଙ୍କ ସୂଚନା ପ୍ରକାରେ ଏହି ଡିଲ୍ ନେଇ ବନ ବିଭାଗକୁ ଦୁଇଦିନ ତଳୁ ସୂଚନା ମିଳିଥିଲା । ତେଣୁ ରାୟଗଡ଼ା ଡିଏଫଓ ସଚିନ ଆନ୍ନାସାହେବ ଓହୋଲଙ୍କ ନେତୃତ୍ୱରେ କଲ୍ୟାଣସିଂହପୁର ଓ ରାୟଗଡ଼ା ରେଞ୍ଜ ଟିମ୍ ମିଳିତ ଭାବେ ଚଢ଼ାଉ କରିଥିଲେ । ଡିଲ୍ କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ କଳାହାଣ୍ଡି ଜିଲା ବନ ବିଭାଗ ଟିମ ସହାୟତା କରିଥିଲେ । ରେଞ୍ଜରଙ୍କ ସୂଚନା ଅନୁସାରେ କଳହାଣ୍ଡି ଜିଲା ଭବାନୀପାଟଣା ଠାରୁ ମାତ୍ର ୮ରୁ ୧୦ କିମି ଦୂରରେ ଥିବା ଜଙ୍ଗଲରେ ପ୍ରାୟ ୨ରୁ୪ମାସ ତଳେ ଏକ କଲରାପତରିଆ ବାଘର ଶିକାର କରାଯାଇଛି । ଶିକାରୀ କଳାହାଣ୍ଡି ଜିଲାର ବୋଲି ଜଣାପଡ଼ିବା ପରେ କଳାହାଣ୍ଡି ବନବିଭାଗ ପକ୍ଷରୁ ଉକ୍ତ ଶିକାରୀକୁ ଗିରଫ କରାଯାଇଛି । କଲ୍ୟାଣସିଂହପୁର ବ୍ଲକକୁ କଳାହାଣ୍ଡି ଜିଲା ନିକଟତର ହୋଇଥିବା କାରଣରୁ ଏହି ରାସ୍ତା ଦେଇ ଡିଲର ମାନେ ରିଭଲକଣା ଆସିଥିଲେ ।ତେବେ ଏହି ଘଟଣାର ଆହୁରି ଅଧିକା ତଦନ୍ତ ଚାଲିଥିବା ଡିଏଫଓ ସଚିନ ଆନ୍ନାସାହେବ ଓହୋଲ କହିଛନ୍ତି ।
