ତିବ୍ଦତରେ ବଡ଼ ଧରଣର ଭୂମିକମ୍ପ : ଝଟକାରେ ୧୬ ମୃତ

ତିବ୍ବତରେ ଗୁରୁବାର ରାତିରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ୭ ତୀବ୍ରତାର ଏହି ଭୂମିକମ୍ପ ବ୍ୟାପକ ଧନଜୀବନ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଏକ ରିପୋର୍ଟ ଅନୁଯାୟୀ, ଏହି ଘଟଣାରେ ଖବର ଲେଖାଯିବା ସୁଦ୍ଧା ୧୬ ଜଣଙ୍କ ମୃତ୍ୟୁ ହୋଇଛି । ମାତ୍ର ୪ ଘଣ୍ଟା ମଧ୍ୟରେ ୧୩ ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିବାବେଳେ ଚାଇନାର ଅନ୍ୟ କେତେକ ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି ।ସେପଟେ ଶୁକ୍ରବାର ସକାଳେ ପାକିସ୍ତାନ, ଆଫ୍‌ଗାନିସ୍ତାନ ଏବଂ ଚୀନରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ତିବ୍ଦତ ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ଆସିଥିବା ୭.୦ ପ୍ରବଳ ତୀବ୍ରତାର ଭୂକମ୍ପ ଯୋଗୁଁ ଜୀବନ ଓ ସମ୍ପତ୍ତିର ପ୍ରବଳ କ୍ଷତି ଘଟିଛି । ସରକାରୀ ଗଣମାଧ୍ୟମର ସୂଚନା ଅନୁଯାୟୀ, ଉତ୍ତର ତିବ୍ଦତର ନାଗଚୁ ସହରରେ ଅନ୍ୟୁନ ୩୩୯ଟି ଘର ଏବଂ ପଶୁଙ୍କର ୨୦ଟି ବାଡ଼ ଭୁଶୁଡ଼ି ପଡ଼ିଛି ।ଆମେରିକୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ (USGS) ମୁତାବକ, ଏହି ଭୂକମ୍ପଟି ସ୍ଥାନୀୟ ସମୟ ଅନୁସାରେ ରାତି ୧୦:୩୩ ମିନିଟରେ ସୃଷ୍ଟି ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ନାଗଚୁଠାରୁ ୧୯୧ କିଲୋମିଟର ପୂର୍ବ-ଉତ୍ତର-ପୂର୍ବ ଦିଗରେ ଏବଂ ଭୂମିଠାରୁ ପ୍ରାୟ ୧୮ କିଲୋମିଟର ଗଭୀରତାରେ ଥିଲା । ଚୀନର ସିସିଟିଭି ଏହାକୁ ଗତ ପାଞ୍ଚ ବର୍ଷ ଭିତରେ ଏହି ଅଞ୍ଚଳରେ ଆସିଥିବା ସବୁଠାରୁ ଶକ୍ତିଶାଳୀ ଭୂକମ୍ପ ବୋଲି ବର୍ଣ୍ଣନା କରିଛନ୍ତି । ଏହାପରେ ୪.୩ରୁ ୫.୨ ତୀବ୍ରତାର ଅନ୍ୟୁନ ୭ଟି ଅତିରିକ୍ତ ଝଟକା ଅନୁଭୂତ ହୋଇଥିଲା, ଯାହାର କେନ୍ଦ୍ରସ୍ଥଳ ପ୍ରାୟ ୧୦ କିଲୋମିଟର ଗଭୀରତାରେ ଥିଲା । ବର୍ତ୍ତମାନ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି । ବୈଜ୍ଞାନିକଙ୍କ ମତରେ, ତିବ୍ବତୀୟ ମାଳଭୂମି ଭୂମିକମ୍ପପ୍ରବଣ ଅଞ୍ଚଳ ଭାବେ ପରିଚିତ। ଏହି ଅଞ୍ଚଳ ଭାରତୀୟ ଓ ୟୁରେସୀୟ ଟେକ୍ଟୋନିକ୍‌ ପ୍ଲେଟ୍‌ର ସଂଘର୍ଷ କ୍ଷେତ୍ର ନିକଟରେ ଅବସ୍ଥିତ ଥିବାରୁ ଏଠାରେ ଭୂମିକମ୍ପ ହେବାର ଆଶଙ୍କା ଅଧିକ ରହିଛି।

ଅଧିକ ପଢନ୍ତୁ