Oplus_131072

ଦଶପଲ୍ଲା ବିଇଓ ଭକ୍ତି ବିନୋଦ ସଲଙ୍କୁ ‘ସଙ୍ଗୀତଧାରା’ ପକ୍ଷରୁ ସମ୍ବର୍ଦ୍ଧନା

ନୟାଗଡ଼,(ଓଡ଼ିଶା ଦର୍ପଣ):ଶିକ୍ଷା ଓ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ତଥା ପ୍ରଶାସନିକ ଦକ୍ଷତା ପାଇଁ ଦଶପଲ୍ଲା ଗୋଷ୍ଠୀ ଶିକ୍ଷାଧିକାରୀ (ବିଇଓ) ଭକ୍ତି ବିନୋଦ ସଲଙ୍କୁ ନୟାଗଡ଼ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ସଙ୍ଗୀତଧାରା’ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ସଙ୍ଗୀତଧାରାର ଏକ ପ୍ରତିନିଧି ଦଳ ବିଇଓଙ୍କ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କୁ ଉପଢୌକନ ଓ ସମ୍ମାନ ସୂଚକ ଫଳକ ପ୍ରଦାନ କରି ଏହି ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି।ସୂଚନାଯୋଗ୍ୟ ଯେ, ନିକଟରେ ‘ସଙ୍ଗୀତଧାରା’ ପକ୍ଷରୁ ଦଶପଲ୍ଲାରେ ଅନୁଷ୍ଠିତ ବ୍ଲକସ୍ତରୀୟ ସଙ୍ଗୀତ ପ୍ରତିଯୋଗିତାରେ ସ୍ଥାନୀୟ ଅଞ୍ଚଳର ଲୁକ୍କାୟିତ ପ୍ରତିଭାମାନଙ୍କୁ ଚୟନ କରିବାରେ ଏବଂ ସେମାନଙ୍କୁ ଏହି ମଞ୍ଚରେ ସାମିଲ କରିବାରେ ଶ୍ରୀ ସଲ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।


ଏହା ସହିତ ଜଣେ ଦକ୍ଷ ଶିକ୍ଷାଧିକାରୀ ଭାବେ ଦଶପଲ୍ଲା ବ୍ଲକରେ ସେ ଅନେକ ଗୁଡ଼ିଏ ଜନହିତକର ଓ ଉଲ୍ଲେଖନୀୟ କାର୍ଯ୍ୟ କରି ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା ସାଉଁଟିଛନ୍ତି। ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଅଭାବ ଜନିତ ସମସ୍ୟାର ସଠିକ୍ ପରିଚାଳନା, ସରକାରୀ ଅନୁଦାନ ରାଶିର ସ୍ୱଚ୍ଛ ଓ ସଠିକ୍ ବିନିଯୋଗ ଏବଂ ଅବସର ଗ୍ରହଣ କରୁଥିବା ଶିକ୍ଷକ ଓ କର୍ମଚାରୀ ମାନଙ୍କ ପେନସନ କାର୍ଯ୍ୟକୁ ଧାର୍ଯ୍ୟ ସମୟ ମଧ୍ୟରେ ସମ୍ପାଦନ କରି ସେ ଜନସାଧାରଣ ଓ ଶିକ୍ଷକ ସମାଜର ଶ୍ରଦ୍ଧାଭାଜନ ହୋଇପାରିଛନ୍ତି।
ଏହି ସମ୍ବର୍ଦ୍ଧନା ପର୍ବରେ ‘ସଙ୍ଗୀତଧାରା’ର ସମ୍ପାଦକ ପ୍ରଶାନ୍ତ କୁମାର ଦାଶ, ସହ ସମ୍ପାଦକ ପ୍ରଶାନ୍ତ କୁମାର ପଟ୍ଟନାୟକ, ସଂଯୋଜକ ଲକ୍ଷ୍ମୀଧର ସାହୁ ଏବଂ ସଦସ୍ୟ ଅଶୋକ ମଲ୍ଲ ପ୍ରମୁଖ ଉପସ୍ଥିତ ରହି ଶିକ୍ଷାଧିକାରୀ ଶ୍ରୀ ସଲଙ୍କ ଗୁଣାବଳୀର ଉଚ୍ଚସିତ ପ୍ରଶଂସା କରିଥିଲେ। ଦଶପଲ୍ଲାରେ ଶିକ୍ଷା ସହିତ କଳା ଓ ସଂସ୍କୃତିର ବିକାଶ ପାଇଁ ବିଇଓଙ୍କ ଏଭଳି ସହଯୋଗ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଅନୁଷ୍ଠାନ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି।

ଅଧିକ ପଢନ୍ତୁ